ଦୋଳି ଖେଳୁ ଖେଳୁ ବେକରେ ଲାଗିଗଲା ରଶି, ଚାଲିଗଲା ସିମ୍‌ରନ୍‌ର ଜୀବନ

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ, ୨୫/୦୯: ଦିଲ୍ଲୀ ପାଖ ନୋଏଡା ସହରରେ ଏକ ଅଭାବନୀୟ ଘଟଣା  ଘଟିଛି । ଦୋଳି ଖେଳୁ ଖେଳୁ ଜଣେ ଶିଶୁର ବେକରେ ଦଉଡ଼ି ଫଶି ରହିଯିବାରୁ ତାର ମୃତ୍ୟୁ ହୋଇଛି । ଘଟଣା ଜଣାପଡ଼ିବା ପରେ ପୋଲିସ୍‌ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ କରିବାକୁ ପଠାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ନୋଏଡା ୩୯ ଥାନା ଅଞ୍ଚଳର ସେକ୍ଟର ୧୦୪ ପାଖାପାଖି ରହୁଥିବା ଜଣେ ୧୧ ବର୍ଷୀୟ ଝିଅ ଦୋଳି ଖେଳୁଥିବା ବେଳେ ବନ୍ଧା ଯାଇଥିବା ରଶିରେ ତାର ବେକ ଫଶି ଯାଇଥିଲା । ଯାହାଫଳରେ ପିଲାଟିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଯାଇଥିଲା ।

ସେକ୍ଟର ୩୯ ଥାନା ଅଧିକ୍ଷକ, ରାଜିବ ୱାଲିଆ ଏନେଇ କହିଛନ୍ତି ଯେ, ସେକ୍ଟର ୧୦୪ ରେ ରହୁଥିବା ହରି କୁମାରଙ୍କ ଝିଅ ସିମରନ୍‌ ଘର ବାହାରେ ଲାଗିଥିବା ଦୋଳିରେ ଝୁଲୁଥିଲା । ଏହି ସମୟରେ ଅସାବଧାନତା ସହିତ ରଶି ତା ବେକରେ ଗୁଡ଼ାଇ ହୋଇଯାଇଥିଲା । ଗମ୍ଭୀର ଅବସ୍ଥାରେ ସିମରନ୍‌କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ୍‌ ଏନେଇ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.