ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ୧୧ ହଜାର ୪୫୮ ନୂଆ ମାମଲା, ୩୮୬ ଜଣଙ୍କ ମୃତ୍ୟୁ
13/06/2020 at 9:27 AM

ନୂଆଦିଲ୍ଲୀ ୧୩/୦୬ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଶନିବାର ଦିନ ୩ ଲକ୍ଷ ପାର କରିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶୁକ୍ରବାର ଦିନ ଜାରି କରିଥିବା ତାଲିକା ଅନୁଯାୟୀ ଶୁକ୍ରବାର ସକାଳ ୮ଟା ରୁ ଶନିବାର ସକାଳ ୮ଟା ଭିତରେ ୧୧ ହଜାର ୪୫୮ ନୂଆ ମାମଲା ସାମ୍ନାକୁ ଆସିଛି | ଦେଶରେ ବର୍ତ୍ତମାନ ୧ ଲକ୍ଷ ୪୫ ହଜାର ୭୭୯ ଆକ୍ଟିଭ ମାମଲା ରହିଛି | ଅପରପକ୍ଷରେ ୧ ଲକ୍ଷ ୫୪ ହଜାର ୩୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତକଙ୍କ ସଂଖ୍ୟା ୮ ହଜାର ୮୮୪ରେ ପହଞ୍ଚିଛି | ଗତ ୨୪ ଘଣ୍ଟାରେ ୩୮୬ ପ୍ରାଣ ହରାଇଛନ୍ତି | ଦେଶରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୮ ହଜାର ୯୯୩ରେ ପହଂଚିଛି |
ତାଜା ସୂଚନା ଅନୁଯାୟୀ, ତାମିଲନାଡୁରେ ଶୁକ୍ରବାର ଦିନ ସର୍ବାଧିକ ୧ ହଜାର ୯୮୨ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ୨୮ଜଣଙ୍କ ମୃତ୍ୟୁ ହୋଇଛି | ଏହାସହ ତାମିଲନାଡୁରେ ସଂକ୍ରମଣ ୪୦ ହଜାର ପାରିକରିଛି | ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୩ ହଜାର ୪୩୯ ନୂଆ ମାମଲା ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରି ୧ ଲକ୍ଷ ୧୧୪୧ରେ ପହଞ୍ଚିଛି | ଗୁଜରାଟରେ ମୋଟ ସଂକ୍ରମଣ ସଂଖ୍ୟା ୨୨ ହଜାର ୫୬୨ ହୋଇଥିବାବେଳେ ଦିଲ୍ଲୀରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି | ଦିଲ୍ଲୀରେ ୩୬ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି |
ବିହାରରେ ଶୁକ୍ରବାର ଦିନ ୧୪୮ ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ଏହାସହ ବିହାରରେ ସଂକ୍ରମଣ ସଂଖ୍ୟା ୬ ହଜାର ୯୬ରେ ପହଞ୍ଚିଛି |