ଦେଶରେ ଚିନ୍ତା ବଢାଇଲାଣି କୋଭିଡ୍‌ : ୧୧ ରାଜ୍ୟରେ ଗତ ୧୪ ଦିନରେ ଚିହ୍ନଟ ହେଲେଣି ୯୦ ପ୍ରତିଶତ ଆକ୍ରାନ୍ତ

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ ୦୨/୦୪ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କରୋନା ନେଇ କଠୋର ହେବାକୁ ପଡୁଛି । ଏହିଭଳି ଦେଶର ପ୍ରାୟ ୧୧ଟି ରାଜ୍ୟରେ ସଂକ୍ରମଣ ଚିନ୍ତା ବଢାଇଲାଣି । କରୋନାକୁ ରୋକିବା ଦିଗରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସଚିବ, ଡିଜିପି ଏବଂ ସ୍ବାସ୍ଥ୍ୟ ସଚିବମାନଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ୧୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଏହି ସ୍ଥାନମାନଙ୍କରେ ଗତ ୧୪ ଦିନ ମଧ୍ୟରେ କୋଭିଡ୍ ସଂକ୍ରମଣ ମୋଟ ମାମଲାର ୯୦ ପ୍ରତିଶତ ରହିଛି ।

ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଠୋର ପଦକ୍ଷେପ ନିଆଯାଇଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ହଜାର ୪୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୯ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବଦିନ ତୁଳନାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଞ୍ଚିଛି।

ଏତତ୍ ବ୍ୟତୀତ  ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯କୁ ଅଧିକ ହୋଇଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୧୪୬୯୬ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬୮୭୮୯୧୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ସୂଚନାଯୋଗ୍ୟ, ଦେଶର ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇ ଦିନ ହେବ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୭୭୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଗତକାଲି ମଧ୍ୟ ରାଜ୍ୟରେ ୪୦୦ରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.