୧୪୧ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର: ତାଲିକାରେ ଅଛନ୍ତି ୧୧ ଜଣ ଓଡ଼ିଆ

Published By : Prameya-News7 Bureau | January 25, 2020 IST

ଭୁବନେଶ୍ବର୨୫/୧: ଚଳିତ ବର୍ଷ ୧୪୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ତାଲିକାରେ ଅଛନ୍ତି ୧୧ ଜଣ ଓଡ଼ିଆ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ମିଳିବ ପଦ୍ମ ଭୂଷଣ ସମ୍ମାନ । ବିଶିଷ୍ଠ ସମାଜସେବୀ ରାଧାମୋହନ ଓ ତାଙ୍କ ଝିଅ ସାବରମତୀ, ଜଣାଶୁଣା ସାନ୍ତାଳୀ ଲେଖିକା ଡକ୍ଟର ଦମୟନ୍ତୀ ବେଶ୍ରା, କଳା କ୍ଷେତ୍ରରୁ ଉତ୍ସବ ଚରଣ ଦାସ, ‘ରଙ୍ଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ, ବିଶିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ର, ବିଶିଷ୍ଠ ଗାଳ୍ପିକା ବୀଣାପାଣି ମହାନ୍ତି ଓ ପଶୁପାଳନ କ୍ଷେତ୍ରରୁ ବଟକୃଷ୍ଣ ସାହୁ ପଦ୍ମଶ୍ରୀ ସମ୍ମାନ ପାଇବା ଲାଗି ମନୋନୀତ ହୋଇଛନ୍ତି । 

ନିକଟରେ ପରଲୋକ ଘଟିଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିବ । ଜୈବିକ କୃଷିରେ ସଫଳତା ପାଇଁ ପ୍ରଫେସର ରାଧା ମୋହନ ଓ ତାଙ୍କ ଝିଅ ସାବରମତି ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି ।

ଏହା ବ୍ୟତୀତ ଓଡ଼ିଶା ବାହାରେ ରହୁଥିବା ୨ ଓଡ଼ିଆ ବ୍ୟକ୍ତିତ୍ବ ମଧ୍ୟ ଏହି ସମ୍ମାନ ପାଇବେ । ସେମାନେ ହେଲେ ଚିକିତ୍ସା ବିଜ୍ଞାନ ପାଇଁ ଡକ୍ଟର ଦିଗମ୍ବର ବେହେରା ଏବଂ ଶିକ୍ଷା ଓ ସାହିତ୍ୟ ଲାଗି ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ । ବିଶିଷ୍ଟ ଚିକିତ୍ସକ ଡାକ୍ତର ବେହେରା ଚଣ୍ଡିଗଡ଼ସ୍ଥିତ ପି.ଜି.ଆଇ.ରେ କାର୍ଯ୍ୟରତ ଥିବା ବେଳେ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସକ୍ରିୟ ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଆମେରିକାରେ ଅବସ୍ଥାପିତ ଅଛନ୍ତି ।

 .. 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.