ଗାଁ ହୋଇଗଲା ସ୍ତବ୍ଧ, ଏକା ସାଥେ ଜଳିଲା ଗୋଟିଏ ପରିବାରର ୧୧ ଜୁଇ

Published By : Prameya-News7 Bureau | October 16, 2021 IST

ଚିରଗାଓଁ, ୧୬/୧୦: ଉତ୍ତର ପ୍ରଦେଶର ଚିରଗାଓଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଓଲଟିବା ଫଳରେ ମଧ୍ୟ ପ୍ରଦେଶ ଡାଟିଆ ଜିଲ୍ଲା ଅନ୍ତର୍ଗତ ଛିରୋନା ଗ୍ରାମର ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଫଳରେ ଏକା ସଙ୍ଗେ ଗୋଟିଏ ଗ୍ରାମରୁ ୧୧ଟି କୋକେଇ ଉଠିଛି । ଶନିବାର ସମସ୍ତଙ୍କ କୋକେଇ ଏକା ସଙ୍ଗେ ଉଠିବାରୁ ସାରା ଗ୍ରାମରେ ଏକ ପ୍ରକାର ଦୁଃଖଦ ସ୍ଥିତି ଦେଖିବାକୁ ମିଳିଛି । ବୟସ୍କ ଲୋକଙ୍କୁ କୋକେଇରେ ଚାରିଜଣ ଲୋକ କାନ୍ଧେଇି ଥିବା ବେଳେ ଶିଶୁଙ୍କ ମୃତଦେହକୁ ହାତରେ ଧରି ଶ୍ମଶାନକୁ ନିଆଯାଇଛି । ଏହାକୁ ଦେଖି ଗ୍ରାମର ପ୍ରତ୍ୟକ ବ୍ୟକ୍ତିଙ୍କ ଆଖିରେ ଲୁହ ଭରି ଯାଇଛି ।

ଏହି ଘଟଣା ଡାଟିଆ ଜିଲ୍ଲାର ପାଣ୍ଡୋଖର ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଚିରୋନା ଗ୍ରାମରେ ଘଟିଛି । ଶୁକ୍ରବାର ଦିନ ଚିରଗାଓଁ ଟ୍ରାକ୍ଟର ସଡକ ଦୁର୍ଘଟଣା ପରେ ଗ୍ରାମରେ ଶୋକର ଲହରୀ ଖେଳିଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ସମାନ ଗାଁର ଏବଂ ଗୋଟିଏ ପରିବାରର ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଆହତ ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ମୃତଦେହ ଗୁଡ଼ିକୁ ଗ୍ରାମକୁ ଅଣାଯାଇଥିଲା । ଯାହାକୁ ଦେଖି ସମଗ୍ର ଗାଁର ଲୋକମାନେ ଶୋକରେ ବୁଡ଼ି ଯାଇଥିଲେ। ମୃତ ଲୋକଙ୍କ ମଧ୍ୟରେ ପୁଷ୍ପା ଦେବୀ ପତ୍ନୀ ଜାନକୀ, ମୁନ୍ନି ଦେବୀ ପତ୍ନୀ ମୋତିଲାଲ, ସୁନୀତା ପତ୍ନୀ ରବିନ୍ଦ୍ର, ପୂଜା ଦେବୀ ପତ୍ନୀ ଅନିଲ, ରାଜୋ ପତ୍ନୀ କୌଲାଶ, ପ୍ରେମବତୀ ପତ୍ନୀ ଜସୱନ୍ତ, କୁସମା ଦେବୀ ପତ୍ନୀ ମଣିରାମ ଆଦି ରହିଛନ୍ତି । ଯେଉଁମାନଙ୍କ ମୃତଦେହ ଶେଷ ରୀତିନୀତି ପାଇଁ ଶ୍ମଶାନକୁ କାନ୍ଧେଇ ନିଆଯାଇଥିଲା । ଏହାଛଡ଼ା ଛୋଟ ପିଲାଙ୍କ ମଧ୍ୟରେ ଅନିଲଙ୍କ ଏକ ବର୍ଷର ଝିଅ କ୍ରିସିଆ, ନେରୁଙ୍କର ଏକ ବର୍ଷର ଝିଅ ପ୍ୟାରୀ, ବଣ୍ଟିଙ୍କ ଚାରି ବର୍ଷର ଝିଅ ଅନୁଷ୍କା ଏବଂ ପୱନଙ୍କ ପୁଅ ଅଭି ରହିଛନ୍ତି ।

ଯେତେବେଳେ ଲୋକମାନେ ଚିରୋନା ଗ୍ରାମରେ ବୟସ୍କ ଓ ଶିଶୁଙ୍କ ମୃତଦେହକୁ ନେଇ ବାହାରକୁ ବାହାରିଥିଲେ, ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। ମୃତକଙ୍କୁ ବିଦାୟ ଦେବା ବେଳେ ଏକ ଜନସମାଗମ ସୃଷ୍ଟି ହୋଇଥିଲା। ମହିଳା ଓ ଶିଶୁମାନଙ୍କର ମୃତଦେହ ଦେଖି ସମ୍ପର୍କୀୟଙ୍କ କାନ୍ଦରେ ସମଗ୍ର ଗାଁ ଶୋକଭରା ହୋଇ ପଡ଼ିଥିଲା। ଶ୍ମଶାନରେ ସେମାନଙ୍କର ମୃତଦେହ ଏକାଠି ପୋଡ଼ାଗଲା । ଯାହାକି ହୃଦୟ ବିଦାରକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.