Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଦିଲ୍ଲୀରେ ଗୋଟିଏ ପରିବାରର ୧୧ ସଦସ୍ୟ କରୋନା ପଜିଟିଭ୍, ସଂକ୍ରମିତଙ୍କ ମଧ୍ୟରେ ଦେଢ ମାସ ଏବଂ ୧୨ବର୍ଷର ଶିଶୁ

23/04/2020 at 7:58 AM

ନୂଆଦିଲ୍ଲୀ ୨୩।୪: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜଧାନୀ ଦିଲ୍ଲୀ ମଧ୍ୟ କରୋନା ତାର କାୟା ବିସ୍ତାର କରିଚାଲିଛି । ଦିଲ୍ଲୀ ଜାମା ମସଜିଦ୍ ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣ କରୋନା ପଜିଟିଭ୍ ଥିବା ଜଣାପଡିଛି । ସଂପୃକ୍ତ ପରିବାରର ଜଣେ ସଦସ୍ୟ ବିଦେଶରୁ ଫେରିଥିଲେ । ଏହା ପରେ ପରିବାର ଅନ୍ୟ ସଦସ୍ୟଙ୍କୁ ସଂକ୍ରମଣ ବ୍ୟାପିଥିଲା । ପରୀକ୍ଷା ପରେ ପରିବାରର ମୋଟ୍ ୧୮ ଜଣଙ୍କ ମଧ୍ୟରୁ ୧୧ ଜଣ କରୋନା ପଜିଟିଭ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଜାମା ମସଜିଦ୍ ଗଳି ଚୁଡି ବାଲାନରେ ତିନି ଭାଇଙ୍କର ପରିବାର ଏକାଠି ରୁହନ୍ତି । ସେମାନଙ୍କର ପରିବାରରେ ମୋଟ୍ ୧୮ ଜଣ ଜଣ ସଦସ୍ୟ ଅଛନ୍ତି । ପରିବାରର ଜଣେ ସଦସ୍ୟ ବିଦେଶରୁ ଫେରି ଆସିଥିଲେ । ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏବେ ସେ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାପରେ ପରିବାରର ସମସ୍ତେ ନିଜର କରୋନା ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ସଂକ୍ରମିତ ହୋଇଥିବା ୧୧ ଜଣଙ୍କ ମଧ୍ୟରେ ଦେଢ ମାସର ଏବଂ ୧୨ ବର୍ଷର ଶିଶୁ ଅଛନ୍ତି । ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେତେବେଳେ ପରିବାରର କିଛି ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଯାଇଥିଲା ସେତେବେଳେ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ସଂପୃକ୍ତ ଅଞ୍ଚଳର ଏସଏଚଓକୁ ସୂଚନା ଦେବା ପରେ ମଧ୍ୟ ସେମାନଙ୍କୁ କେହି ସାହାଯ୍ୟ କରିନଥିଲେ ।

ସିଏମଓ କହିଛନ୍ତି ଯେ, ଏଲଏନଜେପିରେ ୩ ​​ଜଣଙ୍କୁ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ଡିଏସଓକୁ ସେମାନଙ୍କର ଦାୟିତ୍ବ ଦିଆଯାଇଛି । ଅନ୍ୟ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଯିବ ।

ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୯୨ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ୨୪ ଘଣ୍ଟା ମଧ୍ୟରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ପଜିଟିଭ ରୋଗୀଙ୍କ ସଂଖ୍ୟା ୨୧୮୬ ହୋଇଥିବାବେଳେ ଏପର୍ଯ୍ୟନ୍ତ ୬୧୧ ରୋଗୀ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୪୮ ଜଣ ପ୍ରାଣ ହରାଇଛନ୍ତି ।

   Related Posts