ପୋକରାନ ଫାଇରିଙ୍ଗ୍ ରେଞ୍ଜରେ ଅଭ୍ୟାସ ବେଳେ ଫାଟିଲା ବନ୍ଧୁକର ବ୍ୟାରେଲ୍: ବିଏସଏଫ୍ ଯବାନ ଶହୀଦ, ୨ ଗୁରୁତର
3/03/2021 at 12:39 PM

ଜୈସଲମେର ୦୩/୦୩ : ଭାରତ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ସ୍ଥିତ ଜୈସଲମେର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ ଧରଣର ଦୁର୍ଘଟଣା ହୋଇଛି। ସେନାର ପୋକରାନ ଫାଇରିଙ୍ଗ ରେଞ୍ଜ (Army’s Pokaran Firing Range) ରେ ଅଭ୍ୟାସ ସମୟରେ ଏକ ବନ୍ଧୁକର ବ୍ୟାରେଲ ଫାଟିଗଲା। ଫଳରେ ଜଣେ ଯବାନ ଶହୀଦ ହୋଇଛନ୍ତି ଓ ଦୁଇ ଯବାନ ଗମ୍ଭୀର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଯୋଧପୁର ସ୍ଥାନାନ୍ତର କରାଯାଇଛି। ଶହୀଦ ଯବାନଙ୍କ ଘର ଉତ୍ତର ପ୍ରଦେଶରେ।
ସୂଚନା ଅନୁଯାୟୀ ଦୁର୍ଘଟଣା ପୋକରାନ ଫିଲ୍ଡ ଫାଇରିଙ୍ଗ ରେଞ୍ଜରେ ଗତକାଲି ସନ୍ଧ୍ୟାରେ ଘଟିଛି। ସେତେବେଳେ ବୋର୍ଡର ସିକ୍ୟୁରିଟି ଫୋର୍ସର ୧୦୭୭ ରେଜିମେଣ୍ଟର ଅଭ୍ୟାସ ଚାଲିଥିଲା। ଫାଇରିଙ୍ଗ୍ ଅଭ୍ୟାସରେ ୫ ଯବାନ ସାମିଲ ଥିଲେ। ସେତେବେଳେ ୧୦୫ ଏମଏମ ଗନ୍ ର ବ୍ୟାରେଲ ଫାଟି ଯାଇଥିଲା। ଯବାନ ସତୀଶ କୁମାରଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ।
ଆଉ ୨ ଯବାନ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯୋଧପୁର ସ୍ଥାନାନ୍ତର କରାଯାଇଛି। ଶହୀଦ ସତୀଶଙ୍କ ଘର ଉତ୍ତର ପ୍ରଦେଶ ଆଗ୍ରାରେ। ବିଏସଏଫ ଅଧିକାରୀ ଶହୀଦ ଯବାନଙ୍କ ଘରଲୋକଙ୍କୁ ସୂଚନା ଦେଇଛନ୍ତି। ଘରଲୋକ ଆସିବା ପରେ ଶହୀଦଙ୍କ ଶବ ବ୍ୟବଛେଦ କରାଯିବ।
ସୂଚନାଯୋଗ୍ୟ ଯେ, ଫିଲ୍ଡ ଫାଇରିଙ୍ଗ ରେଞ୍ଜରେ ଲଗାତାର ଅଭ୍ୟାସ ଚାଲିଥାଏ। ଅଭ୍ୟାସ ସମୟରେ ସମସ୍ତ ସତର୍କତା ସତ୍ତ୍ୱେ ଅନେକଥର ଏହିଭଳି ଦୁର୍ଘଟଣା ଘଟିଛି। ଏହିଭଳି ଦୁର୍ଘଟଣାରେ ଅନେକ ଯବାନ ଶହୀଦ ହୋଇଛନ୍ତି।