ରାଜ୍ୟରେ ୧୦,୨୦୦ ଦେହଜୀବୀ: ସର୍ବାଧିକ ବାଲେଶ୍ୱରରେ ଥିବାବେଳେ ସବୁଠୁ କମ୍ ଢେଙ୍କାନାଳରେ

Published By : Prameya-News7 Bureau | February 20, 2020 IST

ଭୁବନେଶ୍ୱର ୨୦/୨: ରାଜ୍ୟରେ ୧୦ ହଜାର ୨ ଶହ ୧୦ ଜଣ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ଏସବୁ ଦେହଜୀବୀମାନେ ୨୨ ଟି ଜିଲ୍ଲାରେ ଅଛନ୍ତି । ସର୍ବାଧିକ ୧,୦୫୦ ଜଣ ଅଛନ୍ତି ବାଲେଶ୍ୱର ଜିଲ୍ଲାରେ । ଢେଙ୍କାନାଳରେ ଅଛନ୍ତି ମାତ୍ର ୧୫୦ ଜଣ ଦେହଜୀବୀ । ବିଧାନସଭାରେ ବିଧାୟକ ରାମଚନ୍ଦ୍ର ସାଏଙ୍କ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।

ମନ୍ତ୍ରୀ କହିଥିଲେ, ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓଏସ୍‌ଏସିଏସ୍‌) ଜାତୀୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା (ଏନ୍‌ଏସିଓ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ଏଚ୍‌ଆଇଭି ଓ ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟକ୍ରମମାନ କରୁଛନ୍ତି । ୧୦,୨୧୦ ଜଣ ମହିଳା ଯୌନକର୍ମୀଙ୍କ ନିମନ୍ତେ ଲକ୍ଷ୍ୟଭେଦୀ ପ୍ରକଳ୍ପ ମାଧ୍ୟମରେ ଓଏସ୍‌ଏସିଏସ୍‌ ଏଚ୍‌ଆଇଭି ଓ ଏଡସ୍‌ ସମ୍ପର୍କିତ ସେବା ଓ ସୁବିଧା ଯୋଗାଇ ଆସୁଅଛି ।

ସରକାରଙ୍କ ତଥ୍ୟ କହୁଛି, ଅନୁଗୁଳରେ ୩୦୦ ଜଣ ଦେହଜୀବୀ ଅଛନ୍ତି, ବାଲେଶ୍ୱରରେ ୧୦୫୦, ଭଦ୍ରକରେ ୬୫୦, ବଲାଙ୍ଗିରରେ ୪୫୦, କଟକରେ ୨୫୦, ଢେଙ୍କାନାଳରେ ୧୫୦, ଗଜପତିରେ ୩୫୦, ଗଞ୍ଜାମରେ ୫୫୦, ଜଗତସିଂହପୁରରେ ୨୫୦, ଯାଜପୁରରେ ୭୦୦, କେନ୍ଦ୍ରାପଡ଼ାରେ ୪୦୦, କଳାହାଣ୍ଡିରେ ୨୫୦, କନ୍ଧମାଳରେ ୩୫୦, କେନ୍ଦୁଝରରେ ୭୦୦, ଖୋର୍ଦ୍ଧାରେ ୬୧୦, କୋରାପୁଟରେ ୭୫୦, ମାଲକାନଗିରିରେ ୩୦୦, ମୟୂରଭଞ୍ଜରେ ୭୫୦, ନୟାଗଡ଼ରେ ୨୫୦, ନୂଆପଡ଼ାରେ ୫୦୦ ଜଣ, ପୁରୀରେ ୨୫୦ ଜଣ, ସୁନ୍ଦରଗଡ଼ରେ ୪୦୦ ଜଣ ଦେହଜୀବୀ କାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.