୧୦୨ ବର୍ଷର ସ୍ଵାଧୀନତା ସଂଗ୍ରାମୀ ମୋଦୀଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ
13/03/2020 at 3:10 PM

ନୂଆଦିଲ୍ଲୀ ୧୩।୦୩: ୧୦୨ ବର୍ଷର ସ୍ଵାଧୀନତା ସଂଗ୍ରାମୀ ଏଚଏସ ଦୋରେସ୍ଵାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନଅ ମାସର ମହଲତ ଦେଇ ନିଜର ଧ୍ୟାନ ଭୁଶୁଡୁ ଥିବା ଦେଶର ଅର୍ଥବ୍ୟବସ୍ଥା ଉପରେ ଦେବାକୁ କହିଛନ୍ତି। ଦୋରେସ୍ଵାମୀ ଏହା ମଧ୍ୟ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦୀ ଏମିତି ନକରନ୍ତି ତେବେ ସେ ନାଗରିକ ଅସହଯୋଗର ଆନ୍ଦୋଳନ ଆରମ୍ଭ କରିବେ।
ଏଚଏସ ଦୋରେସ୍ଵାମୀଙ୍କୁ ବିଗତ ଦିନରେ ବୀର ସଭରକର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିବା କାରଣରୁ ବିଜେପି ନେତାଙ୍କ ଦ୍ଵାରା ସମାଲୋଚନାର ଶିକାର ହେବାକୁ ପଡିଥିଲା। ବିଜେପି ନେତା ତାଙ୍କୁ ନକଲି ସ୍ଵାଧୀନତା ସଂଗ୍ରାମୀ କହିଥିଲେ।

ଦୋରେସ୍ଵାମୀ ବିବିସି ସହ ଆଲୋଚନା ବେଳେ ଏହି ବିବାଦ ଉପରେ ନିଜର ରାୟ ରଖିଥିଲେ। ସେ କହିଛନ୍ତି ଯେ, ଯେବେ ମୁଁ ଶୁଣିଲି ଏହି ଲୋକେ ମୋ ବିଷୟରେ ଏମିତି କିଛି କହୁଛନ୍ତି ମୋତେ ହସ ମାଡିଥିଲା। ଏଥିପାଇଁ ଏବେ ମୁଁ ନିଜର ଜେଲ୍ ସାର୍ଟିଫିକେଟ୍ ଦେଇଛି। ଦୋରେସ୍ଵାମୀ ଏନଆରସି ଓ ସିଏଏ ଉପରେ ନିଜର ରାୟ ମଧ୍ୟ ରଖିଛନ୍ତି।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଣାଯାଇଥିବା ନୂତନ ନାଗରିକତା ଆଇନ ଓ ଏନପିଆକୁ ସଂଯୋଗ କରୁଛନ୍ତି। ସେ କହିଛନ୍ତି ଦେଶ ସଂପ୍ରତି ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ଆର୍ଥିକ ସଂକଟ ସହିତ ବେରୋଜଗାରୀ ସଙ୍କଟ ଓ ଦରବୃଦ୍ଧିକୁ ନେଇ ସଂଘର୍ଷ ଜାରି ରହିଛି।

ଅନେକ ଏମିତି ପ୍ରଶ୍ନ ରହିଛି, ଯେଉଁଠି ସରକାର ଘେରି ହୋଇ ଯାଉଛନ୍ତି। ମୋଦୀଙ୍କ କାମ ଏହି ସବୁ ସମସ୍ୟାର ସମାଧାନ କରିବାର ଥିଲା। ଏହି କ୍ଷେତ୍ରରେ ବିଫଳ ହୋଇଥିବା କାରଣରୁ ପ୍ରଧାନମନ୍ତ୍ରୀ ଏହି ବିଷୟରେ ମୁହଁ ଖୋଲୁ ନାହାନ୍ତି ବୋଲି ଦୋରେସ୍ଵାମୀ କହିଛନ୍ତି। ଆସନ୍ତା ମାସରେ ୧୦୨ ବର୍ଷ ପୂରଣ କରୁଥିବା ଗାନ୍ଧୀବାଦୀ ବିଚାରରେ ଅନୁପ୍ରାଣିତ ଦୋରେସ୍ଵାମୀ ଗତ ବର୍ଷ ଡିସେମ୍ବରରେ ସିଏଏ ବିରୋଧୀ ପ୍ରଦର୍ଶନରେ ସର୍ବାଗ୍ରେ ଥିଲେ।
ଶୁକ୍ରବାର ସେ ସିଏଏ ଆଇନକୁ ରଦ୍ଦ କରିବା ପାଇଁ ତିନି ଦିନିଆ ସତ୍ୟାଗ୍ରହରେ ଯୋଗ ଦେଇ ନାଗରିକ ଅସହଯୋଗ ଆନ୍ଦୋଳର ପ୍ରସ୍ତୁତି କରିବେ। ଯଦି ମୋଦୀ ଦେଶର ଉପରୋକ୍ତ ସମସ୍ୟାର ସମାଧାନ ନକରନ୍ତି ତେବେ ତାଙ୍କୁ ଜନବିରୋଧୀ କୁହାଯିବ।