ଏପରି ଏକ ହୀରା ଯାହାର ଦାମରେ କିଣିହେବ ୫ ହଜାର କାର୍, ଅକ୍ଟୋବର ୫ରେ ହେବ ନିଲାମ
12/09/2020 at 9:39 PM

ନୂଆଦିଲ୍ଲୀ ୧୨/୦୯: କଥାରେ ଅଛି ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ। ସୁନା ହେଉ ଅବା ହୀରା ତାର ପ୍ରକୃତ ମୂଲ୍ୟ ଜଣେ ବଣିଆ ହିଁ ଜାଣିପାରେ । କିନ୍ତୁ ହୀରା ଅଳଙ୍କାରର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ କିଣିବା ପାଇଁ ଅନେକ ଲୋକ ମଧ୍ୟ ଆଗ୍ରହ ପ୍ରକାଶ କରନ୍ତି । ଧନୀ ବ୍ୟକ୍ତି ହୀରା କିଣିବାକୁ ପସନ୍ଦ କରନ୍ତି। କିନ୍ତୁ ଆସନ୍ତା ମାସ ଅକ୍ସନରେ ସାମିଲ ହେବାକୁ ଯାଉଥିବା ଏକ ହୀରାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।
ତେବେ ଏହି ହୀରାର ଆକାର ଗୋଟିଏ ଅଣ୍ଡା କିମ୍ବା ଏକ ବଡ଼ ଲଲିପପ୍ ଭଳି ହେବ । ଆଗାମୀ ମାସରେ ନିଲାମ ହେବାକୁ ଯାଉଥିବା ଏହି ହୀରା ପାଇଁ ୧୨ ମିଲିୟନ ଡଲାରରୁ ୩୦ ମିଲିୟନ୍ ଡଲାର ମଧ୍ୟରେ ମିଳିବ ବୋଲି ଆଶା ଅଛି । ଭାରତୀୟ ମୂଦ୍ରାରେ ଏହି ହୀରାର ମୂଲ୍ୟ ୨୨୦ କୋଟିରୁ ଅଧିକ ହୋଇପାରେ। ଏହାର ଅର୍ଥ ଏହି ଟଙ୍କାରେ ୪ ଲକ୍ଷ ଦାମର ୫୦୦୦ରୁ ଅଧିକ କାର କ୍ରୟ କରିହେବ ।
ନିଲାମ କରିବାକୁ ଥିବା କମ୍ପାନୀ ସୋଥବି ମତରେ ୧୦୨.୩୯ କ୍ୟାରେଟ୍ର ଏହି ହୀରା ଦ୍ବିତୀୟ ବୃହତ୍ତ ଅଣ୍ଡାକାର ହୀରା । ସବୁଠୁ ବଡ଼ ୧୧୮.୨୮ କ୍ୟାରେଟ୍ର ହୀରା ୨୦୧୩ରେ ବିକ୍ରି ହୋଇସାରିଛି । ୩୦.୮ ମିଲିୟନ ଡଲାର ମୂଲ୍ୟରେ ଏହା ବିକ୍ରି ହୋଇଥିଲା । କେବଳ ୭ଟି ହୀରା ଏମିତି ଅଛି, ଯାହାକୁ ବ୍ୟବସାୟ କ୍ଷେତ୍ରରେ ଡି କଲର ବା ହ୍ବାଇଟ୍ ହୀରା ନାମରେ ଜଣାଯାଏ । ସେହିଭଳି ୧୦୦ କ୍ୟାରେଟ୍ରୁ ଅଧିକ ହୀରା ପୂର୍ବରୁ ନିଲାମୀରେ ବିକ୍ରି ହୋଇସାରିଛି। ୫ ଅକ୍ଟୋବରରେ ହଙ୍ଗକଙ୍ଗରେ ଏହି ହୀରାର ନିଲାମ ହେବ।
୨୦୧୮ରେ କାନାଡାର ଓଣ୍ଟରିୟୋରେ ଥିବା ଭିକ୍ଟର ମାଇନ୍ରୁ ୨୭୧ କ୍ୟାରେଟ୍ରେ ଏହି ହୀରାକୁ ପ୍ରାପ୍ତ କରାଯାଇଥିଲା। ଏକ ବର୍ଷରୁ ଅଧିକ ସମୟ ଏହି ହୀରାକୁ କାଟିବା ସହ ପଲିସି କରାଯାଇଛି। ତେବେ ହୀରା ବିକ୍ରି କରିବାର ବିଶ୍ବ ରେକର୍ଡ ୨୦୧୭ରେ ସ୍ଥାପିତ ହୋଇଥିଲା। ସେତେବେଳେ ହଙ୍ଗକଙ୍ଗ କମ୍ପାନୀ ଜୋ ତାଇ ଫୋ ୫୯.୬୦ କ୍ୟାରେଟ୍ର ହୀରା ଭିଭିଡ୍ ଗୋଲାପୀ ହୀରାକୁ ୭୧.୨ ମିଲିୟନ ଡଲାରରେ ବିକ୍ରି ହୋଇଥିଲା।