କୋଭିଡର ଜୋରଦାର ଝଟ୍‌କା : ୨୦୨୦ ଏପ୍ରିଲରୁ ୨୧ ଫେବ୍ରୁଆରୀ ସୁଦ୍ଧା ସ୍ୱେଚ୍ଛାକୃତ ଭାବେ ବନ୍ଦ ହୋଇଯାଇଛି ୧୦୧୧୩ କମ୍ପାନୀ, ସଂସଦରେ ତଥ୍ୟ ରଖିଲେ ମନ୍ତ୍ରୀ ଅନୁରାଗ ଠାକୁର

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ,୦୯/୦୩: କରୋନା ମହାମାରୀ ବେଳେ ଭାରତରେ ୧୦ ହଜାରରୁ ଅଧିକ କମ୍ପାନୀ ସ୍ୱେଚ୍ଛାକୃତ ଭାବେ ନିଜର କାରବାର ବନ୍ଦ କରିଦେଇଛନ୍ତି । ଏପ୍ରିଲ ୨୦୨୦ରୁ ଫେବ୍ରୁଆରୀ ୨୦୨୧ ମଧ୍ୟରେ କମ୍ପାନୀ ଗୁଡିକ ବନ୍ଦ ହୋଇଯାଇଛି । ଯାହାର ପ୍ରଭାବ ସିଧାସଳଖ ଅର୍ଥବ୍ୟବସ୍ଥା ଉପରେ ପଡିଛି । ସରକାରୀ ରିପୋର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି ।

ସରକାରୀ ତଥ୍ୟ ଅନୁସାରେ, କରୋନା ମହାମାରୀ ସମୟରେ ୧୦,୧୧୩ଟି କମ୍ପାନୀ ନିଜର କାରବାର ଓ କାର୍ଯ୍ୟ ବନ୍ଦ କରିଦେଇଛନ୍ତି । କମ୍ପାନୀ ଆକ୍ଟ ୨୪୮(୨)ରେ କମ୍ପାନୀ ଗୁଡିକ ଏହି ନିଷ୍ପତ୍ତି ନେଇଥିଲେ । ୨୪୮(୨) ଧାରା ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇଥିଲେ ମଧ୍ୟ କମ୍ପାନୀମାନେ ସ୍ୱେଚ୍ଛାକୃତ ଭାବେ ନିଜର ସଂସ୍ଥା ବନ୍ଦ କରିପାରିବେ ।

ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଯେଉଁ କମ୍ପାନୀ ବନ୍ଦ ହୋଇଛି ସରକାର ତାହାର ରେକର୍ଡ ରଖି ନାହାଁନ୍ତି । କିନ୍ତୁ ମୋଟ ୧୦୧୧୩ଟି କମ୍ପାନୀ ବନ୍ଦ ହୋଇଯାଇଛି । ମନ୍ତ୍ରାଳୟ କୌଣସି କମ୍ପାନୀକୁ ସଂସ୍ଥା ବନ୍ଦ ପାଇଁ କହିନାହିଁ । ଦିଲ୍ଲୀରେ ୨୩୯୪ଟି, ଉତ୍ତର ପ୍ରଦେଶରେ ୧୯୩୬, ତାମିଲନାଡୁରେ ୧୩୨୨, ମହାରାଷ୍ଟ୍ରରେ ୧୨୭୯ଟି କମ୍ପାନୀ ବନ୍ଦ ହୋଇଛି ।

କର୍ଣ୍ଣାଟକରେ ୮୩୬, ଚଣ୍ଡିଗଡରେ ୫୦୧, ରାଜସ୍ଥାନରେ ୪୭୯, ତେଲେଙ୍ଗାନାରେ ୪୦୪, କେରଳରେ ୩୦୭, ଝାଡଖଣ୍ଡରେ ୧୩୭, ମଧ୍ୟ ପ୍ରଦେଶରେ ୧୧୧ ଓ ବିହାରରେ ୧୦୪ଟି କମ୍ପାନୀ ବନ୍ଦ ହୋଇଛି । ଓଡିଶାରେ ୭୮, ଛତିଶଗଡରେ ୪୭, ଗୋଆରେ ୩୬, ପଣ୍ଡିଚେରୀରେ ୩୧, ମେଘାଳୟରେ ୮୮, ଗୁଜୁରାଟରେ ୧୭, ପଶ୍ଚିବଙ୍ଗରେ ୪ ଓ ଆଣ୍ଡାମାନନିକୋବରରେ ୨ଟି କମ୍ପାନୀ ବନ୍ଦ ହୋଇଥିବା ରେକର୍ଡ ରହିଛି ।

ସୂଚନାଯୋଗ୍ୟ, କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ କେନ୍ଦ୍ର ସରକାର ୨୦୨୦ ମାର୍ଚ୍ଚ ମାସରୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ କରିଥିଲେ । ମେ ମାସରେ ଏହା ସମାପ୍ତ ହୋଇ ଅନଲକ୍ ଆରମ୍ଭ ହୋଇଥିଲେ ବି ଅନେକ କଟକଣା ଏବେବି ଲାଗୁ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.