ଜାଗି ଉଠିଲା ଆଶା, ଇଟାଲୀରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ସଂକ୍ରମିତ ୧୦୧ ବର୍ଷୀୟ ବୃଦ୍ଧ
27/03/2020 at 2:56 PM

ରୋମ ୨୭।୦୩: ଇଟାଲୀର ତଟବର୍ତ୍ତୀ ସହର ରିମିନିରେ ଜଣେ ୧୦୧ ବର୍ଷୀୟ ବୃଦ୍ଧ କରୋନା ଭାଇରସ ସହ ଲଢି ସୁସ୍ଥ ହେବାରେ ସଫଳ ହୋଇଛନ୍ତି। ଏହି ମାରାତ୍ମକରେ ଏ ପର୍ଯ୍ୟନ୍ତ ଦେଶରେ ମୋଟ୍ ୮୦,୫୮୯ ଜଣ ସଂକ୍ରମିତ ହୋଇ ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟି ୮୨୧୫ରେ ପହଞ୍ଚିଛି। ସମାଚାର ଏଜେନ୍ସ ସିନହୁଆ ଅନୁଯାୟୀ, କରୋନାରେ ସୁସ୍ଥ ହୋଇଥିବା ଏହି ବୃଦ୍ଧଙ୍କ ନାମ ମିଷ୍ଟର ପି। ତାଙ୍କୁ ଦେଶର ସବୁଠୁ ବର୍ଷୀୟାନ କରୋନା ପୀଡିତ କୁହାଯାଉଛି।
ରିମିନିର ଭାଇସ ମେୟର ଗ୍ଲୋରିଆ ଲିସଙ୍କ ଅନୁସାରେ, ୧୯୧୯ରେ ଜନ୍ମିତ ମିଷ୍ଟର ପିଙ୍କଠାରେ କରୋନା ପଜିଟିଭ ମିଳିଥିଲା। ତାଙ୍କୁ ରିମିନି ହସ୍ପିଟାଲ ଅସ୍ପେଦେଲ ଇନପର୍ମି ଡି ରିମିନିରେ ଭର୍ତ୍ତି କରାଯାଇଥିଲା।
ଗୁରୁବାର ଏକ ଟେଲିଭିଜନ ସାକ୍ଷାତକାରରେ ଲିସି କହିଛନ୍ତି ଯେ, ଯେମିତି ଏହି ବୃଦ୍ଧ ବ୍ୟକ୍ତି କରୋନାରେ ସୁସ୍ଥ ହେବାରେ ଲାଗିଲେ ହସ୍ପିଟାଲରେ ସେ ଚର୍ଚ୍ଚାର ପାତ୍ର ପାଲଟିଥିଲେ। ଏହି ୧୦୧ ବର୍ଷୀୟ ବୃଦ୍ଧଙ୍କୁ କରୋନାରୁ ସୁସ୍ଥ ହୋଇଥିବା ଦେଖି ଏବେ ସଭିଙ୍କ ମନରେ ସୁସ୍ଥ ହେବା ଆଶା ଜାଗି ଉଠିଛି।
ଲିସି କହିଛନ୍ତି ଯେ, ତାଙ୍କର ପରିବାର ଲୋକ ବୃଦ୍ଧଙ୍କୁ ବୁଧବାର ଘରକୁ ନେଇ ଯାଇଛନ୍ତି। ଏହା ସହିତ ବୃଦ୍ଧ ଜଣକ ଶିକ୍ଷା ଦେଇଗଲେ ଯେ, ୧୦୧ ବର୍ଷରେ ମଧ୍ୟ ଭବିଷ୍ୟତ ସମାପ୍ତ ହୋଇ ନାହିଁ।
ଉଲ୍ଲେଖନୀୟ, କରୋନା ଭାଇରସ ମହାମାରୀ କାରଣରୁ ଲଡକାଉନ ମଧ୍ୟରେ ଦେଶରେ ମିଷ୍ଟର ପିଙ୍କ କାହାଣୀ ଏକ ସକରାତ୍ମକ ଖବର ନେଇ ଆସିଛି।