ବ୍ୟାଙ୍କ୍ ଲକରରୁ ଚୋରି ହୋଇଗଲା ୧୦୧ ପ୍ୟାକେଟ୍ ସୁନା ଅଳଙ୍କାର, ଧୁମ୍ ଫିଲ୍ମ୍ ଷ୍ଟାଇଲରେ ଡକାୟତି
12/06/2020 at 7:37 PM

ଭୋପାଳ, ୧୨|୦୬: ମଧ୍ୟପ୍ରଦେଶର ସ୍ୟୋପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଶାଖାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବ୍ୟାଙ୍କ ଲକରରୁ ଗାୟବ ହୋଇଯାଇଛି ଗହଣା ଭର୍ତ୍ତି ପ୍ୟାକେଟ୍ । ଗୋଟିଏ କି ଦୁଇଟି ନୁହେଁ ୧୦୧ଟି ପ୍ୟାକେଟ୍ ଚୋରି ହୋଇଯାଇଛି । ଏହି ଚୋରି ଲକଡାଉନ୍ ଆରମ୍ଭ ହେବା ପରଠୁ ଜୁନ ୧୦ ମଧ୍ୟରେ ହୋଇଛି । ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ପରେ ପୋଲିସ ମାମଲାର ଖୋଳତାଡ ଆରମ୍ଭ କରିଛି ।
ସ୍ୟୋପୁର ଏସବିଆଇ ଶାଖାରେ ଏହି ଚୋରି ହୋଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଆରମ୍ଭ କରି ପୋଲିସ ଅଧିକାରୀମାନେ ମଧ୍ୟ ଘଟଣା ଦେଖି ଚକିତ ହୋଇଯାଇଛନ୍ତି । ବ୍ୟାଙ୍କର ଗୋଲ୍ଡ୍ ଲୋନ୍ ଲକରରୁ ୧୦୧ ପ୍ୟାକେଟ୍ ଚୋରି ହୋଇଯାଇଛି । ଏହି ଚୋରି ବାବଦରେ ଗୁରୁବାର ସୂଚନା ମିଳିଥିଲା । ମେ ୨୬ ପରେ ଗୁରୁବାର ହିଁ ବ୍ୟାଙ୍କର ଲକର୍ ଖୋଲାଯାଇଥିଲା । ଲକର୍ ଖୋଲିବା ପରେ ୧୦୧ଟି ପ୍ୟାକେଟ୍ ଗାୟବ ଥିବା ଜଣା ପଡିଥିଲା । ଲକରରେ ମୋଟ ୨୧୪ଟି ପ୍ୟାକେଟ୍ ରହିଥିଲା । ଏହା ଦେଖିବା ପରେ ବ୍ୟାଙ୍କ ମ୍ୟାନେଜର କୋତବଲୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।
ମ୍ୟାନେଜର ପୋଲିସକୁ କହିଛନ୍ତି ଯେ, ଲକଡାଉନ୍ ପୂର୍ବରୁ ଲକର୍ର ଚାବି ହଜିଯାଇଥିଲା । ଏବେ ନୂଆ ଚାବି ମୁମ୍ବାଇରୁ ତିଆରି ହୋଇ ଆସିଛି । ପୋଲିସ ଏବେ ଘଟଣାର ଛାନଭିନ୍ ଆରମ୍ଭ କରିଛି । ତେବେ ଏହି ଲକର ମଧ୍ୟକୁ ପ୍ରବେଶ କରିବା ପାଇଁ ତିନୋଟି କୋଠରୀ ରହିଛି । ଏହା ମଧ୍ୟକୁ ପଶିବା ସହଜ ନୁହେଁ । ତେବେ କେମିତି ଏହି ବଡ ଧରଣର ଚୋରି ସମ୍ଭବ ହେଲା ତାହା ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏଫରି ଚୋରି ଧୁମ୍ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।