ଦକ୍ଷିଣ ଆଫ୍ରିକାରେ ହାତୀ ମଡକ, ଶହ ଶହ ହାତୀଙ୍କ ମୃତ୍ୟୁର କାରଣ ଜଣାପଡୁନି

Published By : Prameya-News7 Bureau | July 02, 2020 IST

ବୋଟସଓ୍ୱାନା, ୦୨|୦୭: ଉତ୍ତର ବୋଟସଓ୍ୱାନାରେ ପ୍ରାୟ ୩୫୦ରୁ ଉର୍ଦ୍ଧ ହାତୀଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ । ଏତେ ସଂଖ୍ୟକ ହାତୀଙ୍କର ମୃତ୍ୟୁ ଏକ ବିରଳ ଘଟଣା ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ ଏହି ଘଟଣା ବୈଜ୍ଞାନିକଙ୍କୁ ଚିନ୍ତିତ କରିଛି । ଏହା ଏକ ବିପର୍ଯ୍ୟୟ ବୋଲି କୁହାଯାଉଛି ।

ହାତୀ ମୃତ୍ୟୁର ପ୍ରଥମ ଘଟଣା ଓକାଭାଙ୍ଗୋରେ ସାମ୍ନାକୁ ଆସିଥିଲା । ମେ ମାସରେ ଏହି ତ୍ରିକୋଣୀୟ ଭୂମିରେ ପ୍ରାୟ ୧୬୯ଟି ହାତୀ ପ୍ରାଣ ହରାଇଥିଲେ । ତେବେ ଜୁନ୍ ୧୫ ସୁଦ୍ଧା ଏହା ୩୦୦ ଟପିଥିଲା । ଏତେ ସଂଖ୍ୟକ ହାତୀ ପ୍ରାଣ ହରାଇଥିବା ପ୍ରଥମ ଘଟଣା ବୋଲି କୁହାଯାଉଛି । ୟୁକେ ନ୍ୟାଶନାଲ ପାର୍କର ନିର୍ଦ୍ଦେଶକ ନିଆଲ୍ ମ୍ୟାକକାନ୍ କହିଛନ୍ତି ଯେ, ହାତୀମାନଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଅସ୍ପଷ୍ଟ ରହିଛି ।

ଏବେସୁଦ୍ଧା ବୋଟସଓ୍ୱାନ ସରକାର ମୃତହାତୀଙ୍କ ନମୂନା ପରୀକ୍ଷଣ ପାଇଁ ପଠାଇ ନାହାଁନ୍ତି । ତେବେ ବିଷକ୍ରିୟା କିମ୍ବା ଆନ୍ଥ୍ରାକ୍ସ ପାଇଁ ଏହି ହାତୀମାନେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ମ୍ୟାକକାନ୍ ଆହୁରି କହିଛନ୍ତି ଯେ, ହାତୀମାନେ ଯଦି କୌଣସି ରୋଗରେ ପ୍ରାଣ ହରାଇଥାନ୍ତି ତେବେ ଏହା ସାଙ୍ଘାତିକ କଥା । କାରଣ ଅନ୍ୟ ଜୀବଜନ୍ତୁମାନେ ମଧ୍ୟ ପ୍ରାଣ ହରାଇବାର ସମ୍ଭାବନା ରହିଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରଥମେ ହାତୀମାନେ ଗୋଲ୍ ଗୋଲ୍ ହୋଇ ବୁଲିଥିଲେ । ଯେପରି ସର୍କସରେ ସେମାନେ ବୁଲିଥାନ୍ତି । ଏହାପରେ ଧିରେଧିରେ ପ୍ରାଣ ହରାଉଥିଲେ ।ଏହି ମୃତ ହାତୀ ମଧ୍ୟରେ ସବୁ ବୟସର ହାତୀ ରହିଛନ୍ତି । ଆହୁରି ମଧ୍ୟ ଜିମ୍ୱାଓ୍ୱେରେ ସାଇନାଇଡ ବିଷର ପ୍ରୟୋଗକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।

ବୋଟସଓ୍ୱାନା ବନ୍ୟଜନ୍ତୁ ପ୍ରାଧିକରଣ ସିରିଲ୍ ଟାଓଲୋ କହିଛନ୍ତି ଯେ, ୩୫୦ ଜନ୍ତୁ ମଧ୍ୟରୁ ୨୮୦ଟି ହାତୀ ତିବା ସ୍ପଷ୍ଟ ହୋଇଛି । ଅନ୍ୟ ଜନ୍ତୁଙ୍କ ନମୂନା ଟେଷ୍ଟ୍ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁ ବାବଦରେ ସ୍ପଷ୍ଟ ସୂଚନା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.