ଚୀନ ଛାଡି ଭାରତ ଆସିବେ ୧୦୦୦ କମ୍ପାନୀ ? ସରକାରଙ୍କ ସହ ଚାଲିଛି ଆଲୋଚନା
20/04/2020 at 10:30 PM

ନୂଆଦିଲ୍ଲୀ ୨୦।୦୪: ଚୀନର ଦୁନିଆର ପସନ୍ଦର ମ୍ୟାନୁଫେକଚରିଂ ହବ ହେବାର ସ୍ଵପ୍ନ ଭାଙ୍ଗି ଯାଇପାରେ। କରୋନା ଭାଇରସ୍ ମହାମାରୀ କାରଣରୁ ଉତ୍ପନ ପରିସ୍ଥିତି ମଧ୍ୟରେ ପ୍ରାୟ ୧୦୦୦ ବିଦେଶୀ କମ୍ପାନୀ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କମ୍ପାନୀ ସରକାରଙ୍କ ଅଧିକାରୀ ସହିତ ଭାରତରେ ନିଜର କମ୍ପାନୀ ପ୍ରତିଷ୍ଠା ଲାଗି ଆଲୋଚନା ଚଳାଇଛନ୍ତି। ବିଜନେସ୍ ଟୁଡେରେ ଛପିଥିବା ଏକ ରିପୋର୍ଟ ଅନୁଯାୟୀ, ଏଥିରେ ଅତି କମରେ ୩୦୦ କମ୍ପାନୀ ମୋବାଇଲ, ଇଲେକ୍ଟ୍ରାନିକ୍ସ, ମେଡିକାଲ ଡିଭାଇସ୍, ଟେକ୍ସଟାଇଲ୍ ତଥା ସିନ୍ଥେଟିକ ଫ୍ୟାବ୍ରିକ୍ସ କ୍ଷେତ୍ରର ଫ୍ୟାକ୍ଟ୍ରି ସ୍ଥାପନ ଲାଗି ସରକାରଙ୍କ ସହ ସକ୍ରିୟ ଭାବେ ଆଲୋଚନା ଚଳାଇଛନ୍ତି। ଯଦି ଆଲୋଚନା ସଫଳ ରହେ ତେବେ ଏହା ଚୀନ ପାଇଁ ସବୁଠୁ ବଡ ଝଟକା ହୋଇପାରେ।
ସରକାରଙ୍କୁ ମିଳିଲା ପ୍ରସ୍ତାବ
ଏହି କମ୍ପାନୀସବୁ ଭାରତକୁ ମ୍ୟାନୁଫେକଚରିଂର ବିକଳ୍ପ ହବ୍ ଭାବେ ଦେଖୁଛନ୍ତି ଏବଂ ସରକାରଙ୍କ ବିଭିନ୍ନ ସ୍ତରର ଅଧିକାରୀଙ୍କ ସମ୍ମୁଖରେ ନିଜର ପସ୍ତାବ ଉପସ୍ଥାପନ କରି ସାରିଛନ୍ତି, ଯେଉଁଥିରେ ବିଦେଶରେ ଭାରତୀୟ ଦୂତାବାସ ତଥା ରାଜ୍ୟର ଉଦ୍ୟୋଗ ମନ୍ତ୍ରଣାଳୟ ସାମିଲ। ରିପୋର୍ଟ ମୁତାବକ, କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ବର୍ତ୍ତମାନ ପ୍ରାୟ ୧୦୦୦ କମ୍ପାନୀ ବିଭିନ୍ନ ସ୍ତର ଯଥା ଇନଭେଷ୍ଟମେଣ୍ଟ ପ୍ରମୋସନ ସେଲ୍, ସେଣ୍ଟ୍ରାଲ ଗଭର୍ଣ୍ଣେଟ୍ ଡିପାର୍ଟମେଣ୍ଟ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏହି ସବୁ କମ୍ପାନୀ ମଧ୍ୟରୁ ଆମେ ୩୦୦ କମ୍ପାନୀଙ୍କୁ ଚୟନ କରିଛୁ।
ସେ କହିଛନ୍ତି ଯେ, ଆମେ ଏହାକୁ ନେଇ ଆଶାନ୍ଵିତ ଯେ, ଥରେ କରୋନା ଭାଇରସ୍ ମହାମାରୀ ନିୟନ୍ତ୍ରଣକୁ ଆସିଗଲେ ଆମ ପାଇଁ ଅନେକ ଲାଭଦାୟକ ଫଳ ସାମ୍ନାକୁ ଆସିବ ଏବଂ ଭାରତ ମ୍ୟାନୁଫେକଚରିଂର ବିକଳ୍ପ ହବ୍ ଭାବେ ଛିଡା ହେବ। ଜାପାନ, ଆମେରିକା ତଥା ଦକ୍ଷିଣ କୋରିା ପରି ଅନେକ ଦେଶ ଚୀନ ଉପରେ ଆବଶ୍ୟକଠୁ ଅଧିକ ନିର୍ଭରଶୀଳ, ଯାହା ସ୍ପଷ୍ଟ ଦେଖା ଯାଉଛି।