୬୦ତମ ଜାତୀୟ ଅନ୍ତଃରାଜ୍ୟ ଆଥଲେଟିକ୍ ଚାମ୍ପିଅନସିପ୍: ୧୦୦ ମିଟର ଫାଇନାଲରେ ଅମିୟ, ଆଜି ଦୌଡ଼ିବେ ଦୂତି ଚାନ୍ଦ

Published By : Prameya-News7 Bureau | June 26, 2021 IST

ଭୁବନେଶ୍ୱର,୨୬/୦୬: ଶୁକ୍ରବାରଠୁ ପଟିଆଲାରେ ଆରମ୍ଭ ହୋଇଛି ୬୦ତମ ଜାତୀୟ ଅନ୍ତଃ ରାଜ୍ୟ ଆଥଲେଟିକ୍‌ ଚାମ୍ପିଅନସିପ୍‌ । ପ୍ରଥମ ଦିନରେ ପୁରୁଷ ୧୦୦ ମିଟର ଦୌଡ଼ରେ ଓଡ଼ିଶାର ଜାତୀୟ ରେକର୍ଡ ଧାରୀ ଧାବକ ଅମିୟ କୁମାର ମଲ୍ଲିକ ହିଟ୍‌ରେ ଉନ୍ନତ ପ୍ରଦର୍ଶନ କରି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି ।ଅମିୟ ହିଟ୍‌-୩ରେ ଦୌଡ଼ିଥିଲେ । ନିର୍ଦ୍ଧାରିତ ଦୂରତାକୁ ସେ ୧୦.୫୦ ସେକେଣ୍ଡରେ ଅତିକ୍ରମ କରିଥିଲେ । ପଞ୍ଜାବର ଲଭପ୍ରୀତ ସିଂ (୧୦.୬୨) ଦ୍ୱିତୀୟ ଓ କେରଳର କେ.ପି ଅଶ୍ୱିନ (୧୦.୭୩ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ । ହିଟ୍‌ରେ ପଞ୍ଜାବର ଗୁରିନ୍ଦରବିର ସିଂ ଉନ୍ନତ ଟାଇମିଂ ସହ ଫାଇନାଲରେ ପ୍ରବେଶ କରିଛନ୍ତି । ସେ ୧୦.୪୧ ସେକେଣ୍ଡ ନେଇ ହିଟ୍‌-୧ରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ୧୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ଟାଇମିଂ ରହିଛି ୧୦.୦୫ ସେକେଣ୍ଡ । ଶନିବାର ଏହି ଇଭେଣ୍ଟର ଫାଇନାଲ ରହିଛି । ଅମିୟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ତାଙ୍କ ନାମରେ ଜାତୀୟ ରେକର୍ଡ ରହିଛି । ସେ ୨୮-୪-୨୦୧୬ ତାରିଖରେ ଦିଲ୍ଲୀ ଆୟୋଜିତ ପ୍ରତିଯୋଗିତାରେ ୧୦.୨୬ ସେକେଣ୍ଡ ସହ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ।

୧୦୦ ମିଟରରେ ଦୌଡ଼ିବେ ଦୂତିଅଲିମ୍ପିଆନ ଦୂତି ଚାନ୍ଦ

ଶୁକ୍ରବାର ଦିନ ୪ ଗୁଣା ୧୦୦ ମିଟର ରିଲେ ଦଳରେ ଦୌଡ଼ିଥିଲେ । ହିଟ୍‌-୨ରେ ହିମା ଦାସ, ଦୂତି, ଏସ୍‌. ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁଶୀନ୍ଦନଙ୍କୁ ନେଇ ଗଠିତ ଦଳ ୪୩.୫୦ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ସହ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ଇଭେଣ୍ଟରେ ଭାଗ ନେଇଥିବା ଶ୍ରୀଲଙ୍କା ଦଳ ୪୫.୩୦ ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା ।

ଗତ ୨୧ ତାରିଖରେ ଇଣ୍ଡିଆନ ଗ୍ରାଁ ପ୍ରିଁ- ୪ରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ଦୂତି (୧୧.୧୭ ସେକେଣ୍ଡ) । ଶନିବାର ସେ ୧୦୦ ମିଟରରେ ଦୌଡ଼ିବେ । ସକାଳ ଅଧିବେଶନରେ ହିଟ୍‌ ଏବଂ ସନ୍ଧ୍ୟା ଅଧିବେଶନରେ ଫାଇନାଲ ରାଉଣ୍ଡ ରହିଛି । ମହିଳା ୧୦୦ ମିଟରରେ ଟୋକିଓ ଅଲିମ୍ପିକ୍ସ ପାଇଁ ୧୧.୧୫ ସେକେଣ୍ଡ ଯୋଗ୍ୟତା ଟାଇମିଂ ରହିଛି । ଦୂତି ଏହି ଟାଇମିଂ ହାସଲ କରିବାରେ ସଫଳ ହେଉଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେ ବି ୧୧.୧୦ ସେକେଣ୍ଡ ଟାଇମିଂ ଦେବା ଲକ୍ଷ୍ୟରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.