ଆତଙ୍କ ଖେଳାଉଛି କରୋନା: ଦେଶରେ ୧୦୦ ଛୁଇଁଲା ମୃତ୍ୟୁସଂଖ୍ୟା, ୪୦୦୦ ସଂକ୍ରମିତ
6/04/2020 at 11:02 AM

ନୂଆଦିଲ୍ଲୀ, ୦୬|୦୪: ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଭାରତରେ ମଧ୍ୟ ଏହା ତାଣ୍ଡବ ରଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଏପ୍ରିଲ ୬ ତାରିଖ ସକାଳ ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୦୦୦ ଛୁଇଁଛି ।
ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଏପ୍ରିଲ ୬ ତାରିଖ ସୋମବାର ସକାଳ ୯ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଁଚିଛି । ଏହା ମଧ୍ୟରୁ ୩୬୬୬ଟି ଆକ୍ଟିଭ୍ କେସ ରହିଛି । ଏବେ ସୁଦ୍ଧା ୨୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ଦେଶରେ ୧୦୯ଜଣଙ୍କ ଜୀବନ ଯାଇଛି ।
କରୋନା ଭାଇରସ ପାଇଁ ସାରା ବିଶ୍ୱରେ ୭୦ ହଜାରରୁ ଅଧିକ ଜୀବନ ଗଲାଣି । ୧୨ ଲକ୍ଷରୁ ଅଧିକ ଲୋକ ଏହାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଦେଶରେ ଶନିବାରରୁ ରବିବାର ମଧ୍ୟରେ ୧୧ ଜଣ ସଂକ୍ରମିତ ପ୍ରାଣ ହରାଇଥିଲେ ।

ଶନିବାର ମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲା । କେଉଁ ବୟସର ବ୍ୟକ୍ତି ବେଶୀ ସଂକ୍ରମିତ ହେଉଛନ୍ତି ସେନେଇ ସୂଚନା ଦେଇଥିଲା । ମନ୍ତ୍ରାଳୟର ତଥ୍ୟାନୁସାରେ, ସଂକ୍ରମିତଙ୍କ ମଧ୍ୟରୁ ଅର୍ଧାଧିକଙ୍କ ବୟସ ୪୦ ବର୍ଷରୁ କମ । ୪୨ ପ୍ରତିଶତ ସଂକ୍ରମିତଙ୍କ ବୟସ ହେଉଛି ୨୧ ରୁ ୪୦ । ସେହିପରି ୯ ପ୍ରତିଶତଙ୍କ ବୟସ ହେଉଛି ୨୦ରୁ କମ । ତେବେ ଦେଶରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସମସ୍ତଙ୍କ ବୟସ ୬୦ ବର୍ଷରୁ ଅଧିକ । ମୃତକମାନେ ବୃକକ, ହୃଦଜନିତ, ମଧୂମେହ, ଉଚ୍ଚ ରକ୍ତଚାପ ଆଦି ସମସ୍ୟା ଦେଇ ଗତି କରୁଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ ୦ରୁ ୬ ଓ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଭାଇରସ ଟାର୍ଗେଟ୍ କରିଥାଏ ।
ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ୍ ଅଗ୍ରଓ୍ୱାଲ କହିଥିଲେ ଯେ, ୩୩ ପ୍ରତିଶତ ସଂକ୍ରମିତଙ୍କ ସଂଖ୍ୟା ୪୧ରୁ ୬୦ ବର୍ଷ ମଧ୍ୟରେ । ୧୭ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି । ଦେଶରେ ଏବେବି ୫୮ ସଂକ୍ରମିତଙ୍କ ସ୍ଥିତି ସଙ୍ଗୀନ ରହିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ରୁ ଅଧିକ । କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କୁ ସମସ୍ତ ପରାମର୍ଶ ମାନିବାକୁ ଅପିଲ କରିଥିଲେ ।