ଭାରତରେ ଶହେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପାକିସ୍ତାନ ସୀମା ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୦୩ : କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ । ଦେଶରେ ଶହେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରୁ ପଡୋଶୀ ଦେଶକୁ ଯାତାୟତ ବନ୍ଦ କରାଯାଇଛି । କରୋନା ପାଇଁ ସ୍ଥଳପଥରେ ପଡୋଶୀ ଦେଶକୁ ଯାତାୟତ ସିଲ୍ କରାଯାଇଛି । ବାଂଲାଦେଶ, ନେପାଳ, ଭୁଟାନ, ମିଆଁମାର ସୀମା ଆଜିଠୁ ସିଲ୍ ହୋଇଛି । ଭାରତରୁ ପାକିସ୍ତାନ ଯିବା ପ୍ରବେଶ ପଥ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରାଯାଇଛି । ଏ ନେଇ ସୀମା ସଂଲଗ୍ନ ରାଜ୍ୟ ସରକାର ଓ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏସବୁ ଅଞ୍ଚଳରେ କରୋନା ପ୍ରତିହତ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ନେଇ ବିଧିବଦ୍ଧ ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରିଛି ।

ଭାରତରେ ମଧ୍ୟ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଭାରତରେ କରୋନାରେ ଆକ୍ରାନ୍ତ ଥିବା ବେଳେ ୨ଜଣ କରୋନାରେ ମୃତ୍ୟୁବରଣ କରିସାରିଲେଣି । କରୋନା ଭାଇରସରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲ୍‍ରୁ ସେମାନଙ୍କର ଘରକୁ ଫେରଛନ୍ତି । ୪ ହଜାରରୁ ଅଧିକ ଲୋକଙ୍କୁ ଅବଜରବେସନରେ ରଖାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ କରୋନାକୁ ବିଜ୍ଞାପିତ ବିପର୍ଯ୍ୟୟ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ଏହାସହ କରୋନା ସଂକ୍ରମଣର ପରୀକ୍ଷା ପାଇଁ ଦେଶରେ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ୫୨କୁ ବୃଦ୍ଧି କରାଯାଇଛି । ଭାରତ ସରକାର ମଧ୍ୟ କରୋନା ଭୁତାଣୁକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ।

କରୋନା ଭୟାବହତାକୁ ଦେଖି ଭାରତରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ୩୦ ତାରିଖ ଯାଏଁ ଏହି ଦୁଇଟି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣାଯିବ । ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ମହଜୁଦ ରଖିବା କିମ୍ୱା କଳାବଜାରୀ କଲେ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରଙ୍କ ତରଫରୁ ଏକ ହେଲପଲାଇନ ନମ୍ବର ଏବଂ ୱେବ ପୋର୍ଟାଲ ମଧ୍ୟ ଲଂଚ କରାଯାଇଛି । ତେବେ ସରକାରଙ୍କ କଡା ରାଇଡଲାଇ ସତ୍ତ୍ବେ ମହାରାଷ୍ଟ୍ର ପୁନେରେ ନିମ୍ନମାନର ମାକ୍ସ ତିଆରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଚୀନ, ଇଟାଲି, ଇରାନ, ଦକ୍ଷିଣ କୋରିଆ, ଭାରତ, ଆମେରିକା ଭଳି ୧୧୫ରୁ ଅଧିକ ଦେଶରେ ଏହି ଭାଇରସ କାୟାବିସ୍ତାର କରିବାରେ ଲାଗିଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.