ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କାର ଯୋଗଦାନ

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ ୧୮/୦୧ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କା ଦାନ ମିଳିଛି। ଲୋକେ ଏଥିପାଇଁ କେତେ ଉତ୍ସାହିତ ଏଥିରୁ ଅନୁମାନ କରାଯାଇପାରିବ। ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ମିଳିଛି। ତେବେ ଏହି ସୂଚନା ଏବେ ଶୁଦ୍ଧ ମୁଖ୍ୟ କାର୍ଯ୍ୟାଳୟ ଯାଏଁ ପହଞ୍ଚିନି।

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଜନସମ୍ପର୍କ ଓ ଯୋଗଦାନ ଅଭିଯାନ ଚାଲିଛି। ଏହା ଫେବୃଆରୀ ୨୭ ତାରିଖ ଯାଏଁ ଚାଲିବ। ଅଭିଯାନ ଆରମ୍ଭ ହେବା କ୍ଷଣି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ଶହେ ଟଙ୍କା ଦାନ କରିଛନ୍ତି। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ପରିବାର ମଧ୍ୟ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷରୁ ଅଧିକ ରାଶି ଦାନ କରିଛନ୍ତି। ଭେଙ୍କେୟା ନାଇଡୁଙ୍କ ପତ୍ନୀ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ୧୧ ହଜାର ୧୧୬ ଟଙ୍କା ଦାନ କରିଛନ୍ତି।

{"id":394188,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ପ୍ରଥମ ଦିନ ଆରଏସଏସ ମୁଖ୍ୟ ମୋହନ ଭାଗବତ ଦିଲ୍ଲୀ ସ୍ଥିତ ବାଲ୍ମୀକି ମନ୍ଦିରରେ ଏକ ପୂଜା କରିଥିଲେ। ରାୟବରେଲୀ ଜିଲ୍ଲା ତେଜଗାଁର ପୂର୍ବତନ ବିଧାୟକ ସୁରେନ୍ଦ୍ର ବହାଦୁର ସିଂହ ସବୁଠାରୁ ବଡ ଯୋଗଦାନ ଦେଇଛନ୍ତି। ସେ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କାର ଚେକ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣ ଆନ୍ଦୋଳନରେ ବିଶ୍ୱ ହିନ୍ଦୁ ପରିଷଦ ସବୁଠାରୁ ଆଗରେ ଥିଲା।

ବିଶ୍ୱ ହିନ୍ଦୁ ପରିଷଦର ଏକ ପ୍ରତିନିଧିମଣ୍ଡଳ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ସାକ୍ଷାତ କରି ମନ୍ଦିର ନିର୍ମାଣ ପାଇଁ ୧.୨୧ ଲକ୍ଷ ଟଙ୍କା ଦାନ ଗ୍ରହଣ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତ ୧.୫୧ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଗୁଜରାଟ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ, ଉତ୍ତର ପ୍ରଦେଶ ଓ ଝାରଖଣ୍ଡ ରାଜ୍ୟପାଳ ମଧ୍ୟ ଯୋଗଦାନ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାମ ମନ୍ଦିର ନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.