ଡ୍ରଗ୍ସର ମାୟାଜାଲ ବିସ୍ତାର କରିବା ଆରମ୍ଭ କରିଛି ତାଲିବାନ: କ୍ଷମତାକୁ ଆସିବା ପରେ ଭାରତକୁ ଆସିଲାଣି ୧୦୦ କୋଟି ଟଙ୍କାର ନିଶା ଦ୍ରବ୍ୟ

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨/୦୯ : ତାଲିବାନ ଶାସନ ନିଜର ଡ୍ରଗ୍ସ କାରବାର ବିସ୍ତାର କରିବା ଆରମ୍ଭ କରିଦେଇଛି। ତାଲିବାନ ଶାସନ ଆସିବା ପରେ କେବଳ ଭାରତରେ ୧୦୦ କୋଟି ଟଙ୍କାର ମାଦକ ଦ୍ରବ୍ୟ ଆସିଛି ଏବଂ ଏଥିରୁ ମାତ୍ର ୨୦ କୋଟି ଟଙ୍କାର ମାଦକ ଦ୍ରବ୍ୟ ଧରାପଡିଛି। ଗୁଜୁରାଟରେ ଧରାଯାଇଥିବା ଡ୍ରଗ୍ସର ନେଟୱାର୍କ ସମଗ୍ର ଭାରତରେ ବ୍ୟାପିଛି ଏବଂ ଗତ ୨ ମାସ ମଧ୍ୟରେ ଦିଲ୍ଲୀରେ ଦୁଇଟି କାରଖାନା ଧରାପଡିଛି। ତାଲିବାନ ନିଜର କ୍ଷମତା ଚଳାଇବା ପାଇଁ ଚୋରା ଚାଲାଣ କରୁଛି କି ? ଗୁଜୁରାଟ ବନ୍ଦରରେ ହଜାରେ କୋଟି ମୂଲ୍ୟର ଡ୍ରଗ୍ସ ଧରାଯାଇଥିଲା। କାଗଜପତ୍ରରେ ଏହାକୁ ପାଉଡର ବୋଲି କୁହାଯାଇଥିଲା କିନ୍ତୁ ବାସ୍ତବରେ ଏହା ନିଶା ଦ୍ରବ୍ୟ ଥିଲା ଯାହା ଭାରତର ବିଭିନ୍ନ ସ୍ଥାନକୁ ପଠାଯିବାର ଥିଲା। ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ ଜାରି ରଖିଥିଲେ। ଏହାର ତାରଗୁଡ଼ିକ ସିଧାସଳଖ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଯାଏଁ ପହଞ୍ଚିଥିଲା। ସୂଚନାକୁ ଭିତ୍ତି କରି ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଉତ୍ତରପ୍ରଦେଶର ଦିଲ୍ଲୀ ଏବଂ ନୋଏଡାରେ ଦୁଇଟି ସ୍ଥାନରେ ଚଢ଼ଉ କରିଥିଲା ଓ ଦିଲ୍ଲୀରୁ ଦୁଇ ଆଫଗାନି ସମେତ ୩ ଜଣଙ୍କୁ ଓ ନୋଏଡାରୁ ଦୁଇ ଆଫଗାନିଙ୍କୁ ହାଜତକୁ ନେଇଥିଲା।

ତଦନ୍ତକାରୀ ସଂସ୍ଥାର ସୂତ୍ର ଅନୁଯାୟୀ, ଉତ୍ତରପ୍ରଦେଶର ନୋଏଡାଠାରେ ଡ୍ରଗ୍ସ ଉତ୍ପାଦନ କାରଖାନା ଧରାପଡିଛି ଏବଂ ଡିଆରଆଇ ସେଠାରୁ ମାଦକ ଦ୍ରବ୍ୟ ତିଆରି କରିବା ଉପକରଣ ମଧ୍ୟ ଜବତ କରିଛି। ଏକ ବଡ ଖୁଲାସା ହେଲା ନିଶା ଦ୍ରବ୍ୟ ଗୁଜୁରାଟ ବନ୍ଦରରୁ ଧରାପଡିଛି। ନୋଏଡାରେ ଜବତ ହୋଇଥିବା କଞ୍ଚାମାଲ ମଧ୍ୟ ସମାନ ସେହି ପ୍ରକାରର। ଅର୍ଥାତ୍ ଉଭୟ ତାର କୌଣସି ପ୍ରକାରେ ଜଡିତ। ମାମଲାରେ ଏବେ ଯାଏଁ ୭ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୪ଜଣ ଆଫଗାନି। ଅହମଦାବାଦରୁ ଜବତ ହୋଇଥିବା ମାଲ ସମ୍ବନ୍ଧରେ ଚେନ୍ନାଇରୁ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ପଚରାଉଚୁରାରୁ ଜଣାପଡିଛି ଯେ ସ୍ୱାମୀ-ସ୍ତ୍ରୀ ଆଳରେ ଧନ୍ଦା ଅନ୍ୟ କେହି ଚଲାଉଥିଲା ଓ ଏହି ଦୁଇଜଣଙ୍କୁ କମିଶନ ଭାବେ ଲକ୍ଷ ଲକ୍ଷ ଟଙ୍କା ଦିଆଯାଉଥିଲା।

ତେବେ ସୂତ୍ରର ଦାବି ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଡ୍ରଗ୍ସ ତସ୍କରୀ ବୃଦ୍ଧି ପାଇଛି ଓ ଏଥିପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ସାହାଯ୍ୟ କରୁଛି। କାରଣ ସଂସ୍ଥା ବିନା ଆଫଗାନିସ୍ତାନରୁ ଇରାନ ବନ୍ଦରକୁ ମାଲ ପଠାଇବା ସମ୍ଭବ ନୁହେଁ। ଏହା ପଛରେ ପାକିସ୍ତାନର ଚିନ୍ତାଧାରା ହେଉଛି ତାଲିବାନ ତାର ସହଯୋଗକୁ ଅନୁଗ୍ରହ ଭାବେ ଗ୍ରହଣ କରିବ ଏବଂ ଡ୍ରଗ୍ସ ପଠାଇବାରେ ସାହାଯ୍ୟ କଲେ ତାକୁ ବି ଲାଭ ମିଳିବ। ଏହା ସହ ଭାରତର ଯୁବପିଢ଼ି ମଧ୍ୟ ବରବାଦ ହୋଇଯିବେ। ପାକିସ୍ତାନ ଗୋଟିଏ ତୀରରେ  ଅନେକ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି। ଗୁପ୍ତରେ ସୂତ୍ର ଅନୁଯାୟୀ, ଏପର୍ଯ୍ୟନ୍ତ କରାଯାଇଥିବା ଆକଳନ ଅନୁଯାୟୀ ଆଫଗାନିସ୍ତାନରେ ଶାସନ ଚଳାଇବାକୁ ବାର୍ଷିକ ଖର୍ଚ୍ଚ ପ୍ରାୟ ସାତ ଲକ୍ଷ ବିଲିୟନ ଡଲାର।     

ତାଲିବାନ ସରକାର ବୈଧ ତରିକାରେ ମାତ୍ର ୨ ବିଲିୟନ ଡଲାର ରୋଜଗାର କରିପାରିବେ। ଏଭଳି ପରିସ୍ଥିତିରେ ତାର ଚିନ୍ତାଧାରା ହେଉଛି ତାଙ୍କ ପାଖରେ ଯେଉଁ ମାଲ ଉପଲବ୍ଧ ତାକୁ ବିକ୍ରି କରି ସେ ଯଥାସମ୍ଭବ ଟଙ୍କା ସଂଗ୍ରହ କରିବ ଯେପରି ଆଫଗାନିସ୍ତାନ ଉପରେ ତାଲିବାନ ଶାସନ ଅକ୍ଷୁର୍ଣ୍ଣ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.