କଳିଙ୍ଗନଗର ଆମ୍ବଗଡ଼ିଆର ସହିଦ୍ ସ୍ତମ୍ଭ ନିକଟରେ ପଡିଛି ୧୨ ବର୍ଷ ତଳର ୧୦ଟି କଟା ପାପୁଲି; ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା

Published By : Prameya-News7 Bureau | November 18, 2018 IST

ଯାଜପୁର ୧୮/୧୧ : ପୁଣି ଚର୍ଚ୍ଚାରେ କଳିଙ୍ଗନଗର ଆଦିବାସୀଙ୍କ କଟା ପାପୁଲି । ଆମ୍ବଗଡ଼ିଆରେ ଆଦିବାସୀମାନେ କରିଥିବା ସହିଦ୍ ସ୍ତମ୍ଭ ନିକଟରେ ଏଠି ସେଠି ପଡ଼ିଛି କଟା ପାପୁଲି । ୧୨ ବର୍ଷ ତଳେ, ପୋଲିସ୍ ଗୁଳିରେ ପ୍ରାଣ ହରାଇଥିବା ମୃତ ଆଦିବାସୀଙ୍କ ପାପୁଲି ଗୁଡ଼ିକ ଡିଏନଏ ଟେଷ୍ଟ ପାଇଁ ସ୍ଥାନୀୟ କ୍ଲବ୍ ଘରେ ରଖା ଯାଇଥିବା ବେଳେ କେହି ଦୁର୍ବୃତ୍ତ, ସେଗୁଡ଼ିକୁ ନେଇ ସହିଦ୍ ସ୍ତମ୍ଭ ପାଖରେ ଫିଙ୍ଗି ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ପୁଣି ସାମ୍ନାକୁ ଆସିଛି କଟା ହାତ ପାପୁଲି । ଦେଖନ୍ତୁ କେମିତି ଏଠି ସେଠି ପଡ଼ିଛି ୧୦ଟି ପାପୁଲି । ଏ ହେଉଛି, ଯାଜପୁର କଳିଙ୍ଗନଗର ଆମ୍ବଗଡ଼ିଆର ଦୃଶ୍ୟ । ୨୦୦୬ ଜାନୁଆରୀ ୨ ତାରିଖ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କର ଏ ପାପୁଲିଗୁଡ଼ିକ । ତେବେ ଏ ପାପୁଲିଗୁଡ଼ିକୁ ଏଠି ପକାଇଲା କିଏ ? ୧୨ ବର୍ଷ ତଳର ଏସବୁ ପାପୁଲି । ଟାଟା ଷ୍ଟିଲ୍ କମ୍ପାନିର ଜମି ଅଧିଗ୍ରହଣକୁ ବିରୋଧ କରି ପୋଲିସ୍ ଗୁଳିରେ ୧୩ ଜଣ ଆଦିବାସୀ ପ୍ରାଣ ହରାଇଥିଲେ । ଜିଲ୍ଲା ପ୍ରଶାସନ, ମୃତକଙ୍କ ପାପୁଲି କାଟି ରଖିଥିଲା । ପରବର୍ତ୍ତୀ ସମୟରେ ମୃତକଙ୍କ ପରିବାରକୁ ଫେରାଇଥିଲେ ମଧ୍ୟ ସେମାନେ ଗ୍ରହଣ କରି ନଥିଲେ । ଫଳରେ ସ୍ଥାନୀୟ କ୍ଲବ୍ ଘରେ କେମିକାଲ୍ ଦେଇ ଜାରରେ ରଖା ଯାଇଥିଲା ଏସବୁ ପାପୁଲି । ତେବେ ଗତରାତିରେ କେହି ଦୁର୍ବୃତ୍ତ ପାପୁଲିଗୁଡ଼ିକୁ ଆଣି ଆମ୍ବଗଡ଼ିଆରେ  ଆଦିବାସୀମାନେ କରିଥିବା ସହିଦ୍ ସ୍ତମ୍ଭ ନିକଟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଦୁର୍ବୃତ୍ତର ଏଭଳି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପାପୁଲି ଫିଙ୍ଗା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି, ମୃତ ଭଗବାନ ସଏଙ୍କ ମାଆ ସିନି ସଏ, କଳିଙ୍ଗନଗର ଥାନାରେ ଏତଲା ଦେଇଛନ୍ତି । ଡିଏନଏ ଟେଷ୍ଟ ପାଇଁ ପାପୁଲିଗୁଡ଼ିକ ରଖା ଯାଇଥିଲା । ତେବେ ଜିଲ୍ଲା ପ୍ରଶାସନକୁ କଣ ଅନ୍ୟ କେଉଁଠି ଜାଗା ମିଳିଲାନି ? କାହିଁକି ଦାୟିତ୍ବହୀନ ଭାବେ ପ୍ରଶାସନ ସ୍ଥାନୀୟ କ୍ଲବ୍ ଘରେ ଏସବୁ କଟା ପାପୁଲିକୁ ରଖିଥିଲା ? କଳିଙ୍ଗନଗର ପୋଲିସ୍, କଟା ପାପୁଲିଗୁଡ଼ିକୁ ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.