ପୁଣି ୧୦ ବର୍ଷର ନାବାଳିକା ଗର୍ଭବତୀ : ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ
3/03/2019 at 12:24 PM

ପାଲଘର ୩/୩ : ପୁଣି ଲଜ୍ଜା | ମହାରାଷ୍ଟ୍ରରୁ ଆସିଛି ନିହାତି ଲଜ୍ଜାଜନକ ଖବର | ୧୦ ବର୍ଷର ନାବାଳିକା ଗର୍ଭବତୀ ଥିବା ଜଣାପଡିଛି | ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଘଟିଛି ଏଭଳି ଘଟଣା | ନାବାଳିକାଙ୍କ ବାପା ମା ସ୍ଥାନୀୟ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ପୀଡିତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା | ବାପା ନାବାଳିକା ଝିଅକୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ | ନାବାଳିକା ଗର୍ଭବତୀ ଥିବା କଥା କହିଥିଲେ ଡାକ୍ତର |
ନାବାଳିକା ଗର୍ଭବତୀ ଥିବା କଥା ଜାଣିବା ପରେ ଘରଲୋକେ ପୀଡିତାଙ୍କୁ ପଚରାଉଚୁରା କରିଥିଲେ | ପୀଡିତା କହିଥିଲେ ଯେ, ପଡିଶା ଘରେ ରହୁଥିବା ଏକ ଯୁବକ ଗତ ୪ ମାସ ହେଲା ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିଲା | ଏହାପରେ ପୀଡିତାଙ୍କ ବାପା ମା ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଥିଲେ | ଆଇପିସି ଧାରା ୩୭୬ ଏବଂ ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକଜୁଆଲ ଅଫେନ୍ସ ଆକ୍ଟରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଅଭିଯୁକ୍ତ ଫେରାର ଅଛି | ପୋଲି ତାକୁ ଖୋଜାଖୋଜି କରୁଛି |
ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକଜୁଆଲ ଅଫେନ୍ସ ଆକ୍ଟ ନିୟମ ୨୦୧୨ ମସିହାରେ ପ୍ରଣୟନ ହୋଇଥିଲା | ଏହି ନିୟମ ଅନୁଯାୟୀ, ନାବାଳିକାଙ୍କ ସହ ହେଉଥିବା ଯୌନ ଶୋଷଣ ଏବଂ ଅସଦାଚରଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏଭଳି ସ୍ଥିତିରେ ସମସ୍ତ ଅପରାଧୀ ପାଇଁ ଅଲଗା ଅଲଗା ଦଣ୍ଡ ରହିଛି | ଏହି ମାମଲାର ଶୁଣାଣି ଅଲଗା କୋର୍ଟ ହୋଇଥାଏ | ମାମଲାର ଶୁଣାଣି ପୀଡିତାଙ୍କ ବାପା ମାଙ୍କ ଉପସ୍ଥିତିରେ ହୋଇଥାଏ | ଏହି ଅଧିନିୟମ ପୁରା ଦେଶରେ ଲାଗୁ ହୋଇଛି | ଏହି ମାମଲାରେ ପୋଲିସକୁ ୨୪ ଘଣ୍ଟା ଭିତରେ ପୀଡିତାଙ୍କୁ ଶିଶୁ ସୁରକ୍ଷା ସମିତି ସମ୍ମୁଖରେ ଉପସ୍ଥିତ କରିବାକୁ ହୋଇଥାଏ | ଶିଶୁ ସୁରକ୍ଷା ସମିତି ଅଧିକାରୀଙ୍କ ଉପସ୍ଥିତିରେ ପୀଡିତାଙ୍କ ମେଡିକାଲ ଯାଞ୍ଚ କରାଯାଇଥାଏ ଏବଂ ତାଙ୍କୁ ସୁରକ୍ଷା ଦିଆଯାଇଥାଏ | ଏହି ସବୁ ମାମଲାର ଶୁଣାଣି ବନ୍ଦ କୋଠରୀ ଭିତରେ ହୋଇଥାଏ | ଏହାଛଡା ପୀଡିତା ଏବଂ ପୀଡିତାଙ୍କ ପରିବାରର ପରିଚୟ ଗୁପ୍ତ ରଖାଯାଇଥାଏ |