ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ: ଇଚ୍ଛାନଥିଲେ ମଧ୍ୟ ସମର୍ଥନ କରିବାକୁ ବିରୋଧୀ ବାଧ୍ୟ, ଆସନ୍ତା କାଲି ରାଜ୍ୟସଭାରେ ଆସିବ ସଂଶୋଧନ ପ୍ରସ୍ତାବ

Published By : Prameya-News7 Bureau | January 08, 2019 IST

ଭୁବନେଶ୍ବର୮|୧: ସବର୍ଣଙ୍କ ପାଇଁ କୋଟା ମୋଦିଙ୍କର ମାଷ୍ଟର ଷ୍ଟ୍ରୋକ୍ । ଜାତି ଆଧାରରେ ନୁହେଁ ବରଂ ଗରିବୀ ଆଧାରରେ କୋଟା ବ୍ୟବସ୍ଥା ଘୋଷଣା କରି ନିର୍ବାଚନ ବେଳରେ ମୋଦି ବିରୋଧିଙ୍କ କୋର୍ଟକୁ ବଲ ଗଡାଇଦେଇଛନ୍ତି । ପରିସ୍ଥିତି ଏପରି ଯେ ବିରୋଧି ବି ଅକଳରେ ପଡି ଏହାକୁ ସମର୍ଥନ କରିବାକୁ ବାଧ୍ୟ ହୋଇଛନ୍ତି । ଆଜି ଏସଂପର୍କିତ ବିଲ୍ ଲୋକସଭାରେ ଆଗତ ହୋଇଛି । ସେପଟେ ଓଡିଶାରେ କୋଟା ପ୍ରସଙ୍ଗ ପୁଣି ରାଜନୀତିର ଗୋଟି ପାଲଟିବାକୁ ଯାଉଛି ।….

ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ କୋଟାକୁ ନେଇ ରାଜନୀତି ହଲଚଲ । ଆଗରୁ ଅନୁସୂଚିତ ଜାତି ଓ ଜନଜାତି ସମେତ ଓବିସି ବର୍ଗଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଉଦ୍ଦିଷ୍ଟ ଥିଲା । ଏହାକୁ କାଏମ ରଖି ସବର୍ଣଙ୍କ ପାଇଁ ୧୦ ପ୍ରତିଶତ କୋଟା ଘୋଷଣା କରି ମୋଦି ସରକାର ବଡ ଝଟକା ଦେଇଛନ୍ତି ବିରୋଧିଙ୍କୁ । ଆଜି ଏନେଇ ଲୋକସଭାରେ ଏହି ବିଲ୍ ର ସଂଶୋଧନ  ଆଗତ କରାଯାଇଛି । ଆସନ୍ତାକାଲି ରାଜ୍ୟସଭାରେ ଏହାକୁ ପାସ କରାଇବା ଯୋଜନାରେ ଅଛି ମୋଦି ସରକାର । ଏହାକରି ସବର୍ଣ ଓ ସାଧାରଣ ବର୍ଗଙ୍କ ମନ ଜିଣିବାକୁ ଗୋଟି ଚାଳନାକରିଛି  ବିଜେପି ।

ଏହାଦ୍ବାରା ପଛୁଆ ବର୍ଗଙ୍କର ବି ଅସୁବିଧା ହେଉନଥିବାରୁ ଇଛାନଥିଲେ ବି ପ୍ରାୟ ସବୁଦଳ ୧୦ ପ୍ରତିଶତ କୋଟାକୁ ସମର୍ଥନ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି । ଓଡିଶାରେ ବି ଅନେକ ଦିନଧରି ଥମିଯାଇଥିବା କୋଟା ପ୍ରସଙ୍ଗ ପୁଣି ରାଜନୀତିର ସତରଞ୍ଜରେ ପ୍ରମୁଖ ଗୋଟି ପାଲଟିବାକୁ ଯାଉଛି ।  ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ୪୦ ପ୍ରତିଶତ । ସେଥିପାଇଁ ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ବଦଳରେ ୧୧ ପ୍ରତିଶତ ସଂରକ୍ଷଣ ସୁଯୋଗ ମିଳୁଛି । ଏବେ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁହେଲେ ଓବିସିରୁ ବାଦ ପଡିଥିବା ବର୍ଗ ବି ଉପକୃତ ହେବେ ।

ଯେହେତୁ ଯେଉଁ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ ସେମାନଙ୍କୁ ଏହି ସଂରକ୍ଷଣ ବର୍ଗରେ ସାମିଲ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି, ସେଥିରେ ସାଧାରଣ ବର୍ଗର ଏକ ବଡ ଭାଗ ଲାଭ ଉଠାଇବେ । ଏହାକରି ସାଧାରଣ ବର୍ଗଙ୍କ ଭରସା ଜିତିବାକୁ ବିଜେପି ଏହି କାର୍ଡ ଖେଳିଥିବା ଚର୍ଚା ହେଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.