ଭୁବନେଶ୍ଵର ୧୦।୦୪: ସଂପ୍ରତି ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଓଡିଶାରେ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ହେଲେ ଏହା ମଧ୍ୟରେ ରାଜ୍ୟ ପାଇଁ ଆସିଛି ବଡ ଆଶ୍ଵସ୍ତିକର ଖବର। ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହି ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୧୨ ଜଣ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି।
{"id":252149,"sizeSlug":"large"}ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ମଧ୍ୟରେ ଭୁବନେଶ୍ଵରରୁ ୫ ଜଣ, ଭଦ୍ରକରୁ ୨ ଜଣ ହୋଇଥିବା ବେଳେ କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ରୋଗୀ ସାମିଲ। ଉଲ୍ଲେଖଯୋଗ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୪୮ ରହିଥିଲା। ହେଲେ ଏବେ ମୋଟ୍ ୧୨ ଜଣ ସୁସ୍ଥ ହେବା ପରେ ଏବଂ ଜଣେ ରୋଗୀଙ୍କ ମୃତ୍ୟୁ ପରେ ସଂପ୍ରତି ହସ୍ପିଟାଲରେ ବାକି ରୋଗୀଙ୍କ ଚିକିତ୍ସା ଜାରି ରହିଛି।
ଏହା ପୂର୍ବରୁ ଗତକାଲି ଚାରି ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ଜନତାଙ୍କଠୁ ନେଇ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିଲା। ହେଲେ ଆଜି ୧୦ ଜଣ ସୁସ୍ଥ ହେବା ସଭିଙ୍କ ପାଇଁ ବଡ ଆଶ୍ଵସ୍ତିକର ବିଷୟ ହୋଇଛି। ରାଜ୍ୟରେ ଏଯାଏ ୩୨୪୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୮ ଜଣଙ୍କ ପଜିଟିଭ୍ ଆସିଥିଲା । ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୫ ଜଣଙ୍କର ଚାଲିଛି ଚିକିତ୍ସା । ବିଭିନ୍ନ ହସ୍ପିଟାଲରେ ୧୧୩ ଜଣ ଆଇସୋଲେସନରେ ଅଛନ୍ତି ।