ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ୧୦ ପ୍ରସ୍ତାବରେ ବାଜିଲା ମୋହର

Published By : Prameya-News7 Bureau | October 21, 2019 IST

ଭୁବନେଶ୍ୱର ୨୧।୧୦:  ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଅବଢା ଯୋଜନା ଲାଗି ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିଥିବା ଜଣାପଡିଛି। ଆସନ୍ତା ୩ ବର୍ଷରେ ଏହି ଅର୍ଥ ଖର୍ଚ୍ଚ ହେବ।

ଅବଢା ଯୋଜନାରେ ୨୦୧୯-୨୦ ବର୍ଷରେ ୭୧୯ କୋଟି ଟଙ୍କା ଖର୍ଚ୍ଚକୁ ମନ୍ତ୍ରୀମଣ୍ଡଳର ସ୍ୱୀକୃତି ମିଳିଥିବା ବେଳେ ୨୦୨୦-୨୧ରେ ୧୪୦୨ କୋଟି ଓ ୨୦୨୧-୨୨ରେ ଖର୍ଚ୍ଚ ହେବ ୧୦୮୭ କୋଟି ଟଙ୍କା। ଏହାଛଡା ବିଭିନ୍ନ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲାଗି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହି ସବୁ ପ୍ରକଳ୍ପକୁ ଆସନ୍ତ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ।

ସେହିପରି ଶ୍ରମ ବିଭାଗର ରିକ୍ତ ପଦବୀ ନିଯୁକ୍ତି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ୨୯୬ ପଦବୀ ପୁରଣ କରିବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ୯୦ ପ୍ରତିଶତ ପଦବୀରେ ସିଧାଶଳଖ ନିଯୁକ୍ତି ହେବ। ବାକି ୧୦ ପ୍ରତିଶତ ପଦବୀ ବିଭାଗୀୟ କର୍ମଚାରୀଙ୍କ ପଦୋନ୍ନତୀରେ ପୁରଣ ହେବ ବୋଲି ଜଣାପଡିଛି। ସାଧାରଣ ପ୍ରଶାସନ ବିଭାଗ (ଜିଏ) ହାତରୁ ଏଭିଏସନ ଶାଖାକୁ ପ୍ରତ୍ୟାହାର ନିଷ୍ପତ୍ତିକୁ ମଧ୍ୟ ମନ୍ତ୍ରୀମଣ୍ଡଳ ମଞ୍ଜରୀ ଦେଇଛନ୍ତି। ଜିଏ ଅଧିନରୁ ଶାଖା ବାଣିଜ୍ୟ ଓ ପରିବହନ ବିଭାଗ ଅଧିନକୁ ଆସିବ।

ଏହାଛଡା ଏପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ଠାରୁ ବାସିନ୍ଦା, ଆୟ, ସମ୍ପତ୍ତି (ଆର୍ଥିକ ଅନଗ୍ରସରଙ୍କ ନିମନ୍ତେ), ଉତ୍ତରାଧିକାରୀ, ଅଭିଭାବକ, ତଫସିଲଭୁକ୍ତ ଜାତି, ଉପଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ସାର୍ଟିଫିକେଟ୍ ପ୍ରଦାନ ନିମନ୍ତେ ଆଦାୟ ହେଉଥିବା ଦେୟ ଛାଡ ଲାଗି ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସେହିପରି ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧ର ସଂଶୋଧନ, ଅମଲା ସେବା ନିୟମାବଳୀ ୨୦୧୯ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.