ବିଷାକ୍ତ ଛତୁ ଖାଇ ୧୦ଜଣ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 22, 2020 IST

ଭଞ୍ଜନଗର ୨୨।୦୬ : ବିଷାକ୍ତ ଛତୁ ଖାଇ ଦୁଇଟି ପରିବାରର ଦଶ ଜଣ ସଦସ୍ୟ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ୍ ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରିମାଳ ନିକଟସ୍ଥ ନୂଆଁଗାଁ ଗ୍ରାମରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ନୂଆଁଗାଁର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ରବି ସେଠୀ, ପପୁ ସେଠୀ, ସରିତା ସେଠୀ, ରିତେଶ ସେଠୀ , ପ୍ରିତେଶ ସେଠୀ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ଗାଁ ପାଖ ଜଙ୍ଗଲକୁ ଲାଗି ରହିଥିବା ଜମିରୁ ରବିବାର ସଂଧ୍ୟାରେ ଛତୁ ଫୁଟିଥିବା ଦେଖି ରବି ସେଠୀ ଓ ସରିତା ସେଠୀ ସେସବୁକୁ ତୋଳି ଆଣିଥିଲେ । ରାତିରେ ଏମାନେ ପରିବାର ସଦସ୍ୟଙ୍କ ସହ ମିଶି ଛତୁ ତରକାରୀ ଖାଇଥିଲେ । ଖାଇବାର କିଛି ସମୟ ପରେ ସମସ୍ତେ ବାନ୍ତି କରିବା ଆରମ୍ଭ କରିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେହିପରି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗାଁରେ ମଧ୍ୟ ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି । ଏଠାରେ ମଧ୍ୟ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ସହ ଜଣେ ପଡୋଶୀ ମଧ୍ୟ ଛତୁ ଖାଇ ଅସୁସ୍ଥ ହୋଇପଡିଛନ୍ତି । ତନରଡା ଗ୍ରାମର କାଳିଆ ସ୍ବାଇଁ, ସୁବ୍ରତ ସ୍ବାଇଁ, ସୁରଜ ସ୍ବାଇଁ, ନମିତା ସ୍ବାଇଁ ଓ ରତ୍ନମାଳା ସ୍ବାଇଁଙ୍କ ସମେତ ପଡୋଶୀ ପୂର୍ଣ୍ଣିମା ବରାଳ ବିଷାକ୍ତ ମଧ୍ୟ ଛତୁ ଖାଇ ଅସୁସ୍ଥ ହୋଇପଡିବା କାରଣରୁ ଏମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ରାତିସାରା ଚିକିତ୍ସିତ ହେବାପରେ କେତେକ ସୁସ୍ଥ ଅନୁଭବ କରିଥିବା ବେଳେ ଏବେବି କିଛିଜଣ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି । ତେବେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ ସୁଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.