କେନ୍ଦୁଝରରେ ଶିଶୁ ଶ୍ରମିକ କହି ପୋଲିସ୍ ଉଠାଇ ଆଣିଥିବା ୪୪ ପିଲାଙ୍କ ଭିତରୁ ୧୦ ଜଣ ଗଲେ କୁଆଡେ?

Published By : Prameya-News7 Bureau | September 04, 2018 IST

କେନ୍ଦୁଝର ୪|୯: କେନ୍ଦୁଝରରେ ମୁସ୍କାନ ପରୀ ନାଁରେ କୋମଳମତି ଶିଶୁ ଓ ସେମାନଙ୍କ ପରିବାରକୁ ଦିଆଯାଉଛି ନିର୍ଯାତନା । ସ୍କୁଲ ପଢୁଆ ପିଲାଙ୍କୁ ଶିଶୁ ଶ୍ରମିକ କହି ପୋଲିସ୍ ଉଠାଇ ଆଣୁଥିବା ଅଭିଯୋଗ ହୋଇଛି । ଗତକାଲି ବିଭିନ୍ନ ସ୍ଥାନରୁ ୪୪ ପିଲାଙ୍କୁ ଉଠାଇ ଆଣିଥିଲା ପୋଲିସ୍ । ଖାଇବା-ପିଇବା ନଦେଇ ରାତି ତମାମ ବୟଜ୍ ହଷ୍ଟେଲରେ ରଖିଥିଲା । କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ ୧୦ ଜଣ ଏବେ ଗାଏବ୍ । ପିଲାମାନଙ୍କ ଅଭିଭାବକ ସେମାନଙ୍କୁ ନେବାକୁ ଆସି ଏ ଅଫିସରୁ ସେ ଅଫିସ୍ ଧାଇଁ ଧାଇଁ ନୟାନ୍ତ । ମୁସ୍କାନ୍ ପରୀ ନାଁରେ କେନ୍ଦୁଝର ପୋଲିସ୍ ଚଳାଇଛି ପ୍ରହସନ । ଯୋଉଠୁ ଯାହାକୁ ପାଉଛି ଉଠାଇ ଆଣୁଛି । ଗତ ରବିବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପୋଲିସ୍ କରିଥିଲା ମୁସ୍କାନ୍ ପରୀ ଅଭିଯାନ । ଯୋଡ଼ା ଅଞ୍ଚଳରୁ ୨ ସ୍କୁଲ ପଢୁଆ ପିଲାଙ୍କୁ ଉଠାଇ ଆଣିଥିଲା । ଟାଟା ଷ୍ଟିଲ୍ ପ୍ରାଇମେରୀ ସ୍କୁଲରେ ପଢୁଥିବା ୮ ବର୍ଷର ସୁବାସ ଲୋହାର୍ ଏବଂ ହିଲଟପ୍ ସ୍କୁଲରେ ପଢୁଥିବା ୧୦ ବର୍ଷର ଦକ୍ଷିଣ ସାମନ୍ତଙ୍କୁ ଉଠାଇ ଆଣିଛି । ଉଭୟ ତୃତୀୟ ଶ୍ରେଣୀରେ ପଢୁଥିଲେ । ରବିବାର ସେମାନେ ବାହାରେ ଖେଳୁଥିବା ବେଳେ ପୋଲିସ୍ ସେମାନଙ୍କୁ ଉଠାଇ ଆଣିଥିବା ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ୪୪ ଜଣ ପିଲାଙ୍କୁ ରବିବାର ରାତି ସାଢେ ୧୦ଟା-୧୧ଟାରେ ଆଶୀର୍ବାଦ ବୟଜ୍ ହଷ୍ଟେଲରେ ଠୁଙ୍କି ଦେଇଥିଲା ପୋଲିସ୍ । ଯେଉଁଠି ପିଲାମାନେ ସାରା ରାତି ଅଖିଆ ଅପିଆ ଥିଲେ । ସକାଳୁ ସେହି ପିଲାଙ୍କ ମଧ୍ୟରୁ ୧୦ ଜଣେ କେଉଁଆଡ଼େ ଚାଲି ଯାଇଛନ୍ତି ।ସେହି ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଯୋଡ଼ା ଅଞ୍ଚଳରୁ ଉଠାଇ ଅଣା ଯାଇଥିବା ୨ ପିଲା । ସୋମବାର ସେମାନଙ୍କୁ ନେବାକୁ ସେମାନଙ୍କ ବାପା-ମାଆ ଆସିଥିଲେ । ଏସପି, ଜିଲ୍ଲାପାଳ ଯାହାକୁ ଦେଖାକଲେ ବି କେହି ସହଯୋଗ କରୁନାହାନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନଜଣାଇ କେନ୍ଦୁଝର ପୋଲିସ୍ କରୁଛି ମୁସ୍କାନ୍ ପରୀ ଅଭିଯାନ । ଶସ୍ତା ବାଃ ବାଃ ସାଉଣ୍ଟିବାକୁ ଯାହାକୁ ନାହିଁ ତାକୁ ଯୋଉଠୁ ପାରିଛି ଉଠାଇ ଆଣିଛି । ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବା କିମ୍ବା ସେମାନଙ୍କ ବାପା-ମାଆଙ୍କ ହେପାଜତରେ ଦେବା ମୁସ୍କାନ୍ ପରୀ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ କେନ୍ଦୁଝର ପୋଲିସ୍ ଯାହା କରିଛି, ଏବେ ତାର ଭରଣା କରିବ କିଏ ? ଯେଉଁ ସ୍କୁଲ ଯାଉଥିବା ପିଲାଙ୍କୁ ପୋଲିସ୍ ଉଠାଇ ଆଣିଥିଲା ସେମାନେ ଏବେ ନିଖୋଜ । ଯଦି ଏହିଠାରୁ ସେମାନଙ୍କ ଜୀବନ ବରବାଦ୍ ହୋଇଯାଏ, ତେବେ କିଏ ଦାୟୀ ହେବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.