ଚୌଦ୍ବାରରେ ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ, ୧୦ ଆହତ
5/04/2019 at 4:05 PM

ଚୌଦ୍ବାର ୫|୪: ଚୌଦ୍ବାର ଥାନା ଅନ୍ତର୍ଗତ ବନିପଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ସାହି ମଧ୍ୟରେ ଗଣ୍ଡଗୋଳରେ ୧୦ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ମଳିକ ସାହି ଓ ଗୌଡ଼ ସାହି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଗଣ୍ଡଗୋଳ ରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ପଥର, କାଚ ବୋତଲରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ବହୁ ଘର ଅଜବେଷ୍ଟସ ଭାଙ୍ଗିବା ସହ ୧୦ ଜଣ ଆହତ ହୋଇଥିଲେ। ଗ୍ରାମରେ ଯାତ୍ରା ଚାଲୁଥବାରୁ ମୁତୟନ ଥିବା ପୋଲିସ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ଉଭୟ ଗୋଷ୍ଠୀର ଆକ୍ରମଣରେ ସେଠାରୁ ପଳାଇଥିଲେ । ପରେ ୨ ପ୍ଲାଟୁନ ପୋଲିସ ସହ ଆଇଆଇସି ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗତ ହୋଲି ବେଳେ ରଙ୍ଗ ଖେଳକୁ କେନ୍ଦ୍ରକରି ଉଭୟ ସାହି ଯୁବକମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ପରେ ମନ୍ଦିରରେ ବସି ଏହାର ଆପୋଷ ସମାଧାନ କରାଯାଇଥିଲା। ଗତକାଲି ରାତିରେ ପୁଣି ସେହି କଥାକୁ ନେଇ ଗଣ୍ଡଗୋଳହୋଇଥିଲା ବୋଲି ଜଣାପଡିଛି। ପୋଲିସ ଘଟଣାରେ ଉଭୟ ଗୋଷ୍ଠୀର ୪୦ ଜଣକୁ ଥାନାକୁ ନେଇ ପଚରାଉଚରା କରୁଛି।