ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ୧୦ ବିଦେଶୀଙ୍କ ମିଳୁନି ପତ୍ତା, ଫୋନ୍‌ ବି ସ୍ବିଚ୍‌ ଅଫ୍‌, ଖୋଜି ଖୋଜି ନୟାନ୍ତ ହେଲାଣି ସ୍ବାସ୍ଥ୍ୟ ବିଭାଗ

Published By : Prameya-News7 Bureau | December 03, 2021 IST

ବେଙ୍ଗାଲୁରୁ ୦୩/୧୨ : ଭାରତ ସମେତ ସାରା ବିଶ୍ବରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଆତଙ୍କ ଖେଳାଇଛି । ଗୁରୁବାର କର୍ଣ୍ଣାଟକରୁ ୨ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଲୋକଙ୍କ ଉପ​‌ରେ କଡା ନଜର ରଖାଯାଇଛି । ଏହାରି ମଧ୍ୟରେ ଆଉ ଏକ ଚକିତ କରିବା ଭଳି ଖବର ଆସିଛି । ଦକ୍ଷିଣ ଆଫ୍ରିକୀୟ ଦେଶରୁ ବେଙ୍ଗାଲୁରୁ ଫେରିଥିବା ୧୦ ଜଣ ବିଦେଶୀ ନାଗରିକ ନିଖୋଜ ଅଛନ୍ତି । ଅର୍ଥାତ ସେମାନେ ଭାରତରେ ପହଞ୍ଚିବା ପରେ କେଉଁଆଡେ ଗଲେ, କଣ କରୁଛନ୍ତି ସେ ନେଇ କାହା ପାଖରେ କିଛି ଖବର ନାହିଁ । ସେମାନେ ଭାରତରେ ପହଞ୍ଚିବା ପରେ କୋଭିଡ୍ ଟେଷ୍ଟ କରାଇଛନ୍ତି କି ନାହିଁ ସେ ନେଇ ମଧ୍ୟ ସୂଚନା ନାହିଁ । ଯାହା ଦ୍ବାରା ପ୍ରଶାସନ ଏବେ ଚିନ୍ତାରେ ପଡିଯାଇଛି ।

ସମସ୍ତ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କୁ ଆସିଥିବା ଜଣାପଡିଛି । ଟ୍ରାଭେଲ ହିଷ୍ଟ୍ରୀରୁ ତାହା ସ୍ପଷ୍ଟ ହୋଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ପତ୍ତା ମିଳୁନଥିବା ବ୍ୟକ୍ତିମାନଙ୍କର ଫୋନ ସ୍ବିଚ୍‌ ଅଫ୍ ରହିଛି । ସେଥିପାଇଁ ସେମାନଙ୍କୁ ଟ୍ରେସ୍‌ ମଧ୍ୟ କରାଯାଇପାରୁ ନାହିଁ ।

ବେଙ୍ଗାଲୁରୁ ମହାନଗରପାଳିକା କମିଶନର ଗୌରବ ଗୁପ୍ତା କହିଛନ୍ତି, ସମସ୍ତ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକାରୁ ହିଁ ଆସିଛନ୍ତି । ସେମାନଙ୍କ ଫୋନ ସ୍ବିଚ୍‌ ଅଫ ରହିଛି । ସମସ୍ତଙ୍କୁ ଖୋଜି ବାହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ ଆସିବା ପରଠାରୁ ଦକ୍ଷିଣ ଆଫ୍ରିକାରୁ ମୋଟ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର କିଛି ଖୋଜ ଖବର ନାହିଁ କିମ୍ବା ଫୋନ ମାଧ୍ୟମରେ ବି ଯୋଗଯୋଗ ହୋଇପାରୁ ନାହିଁ । କାରଣ ସେମାନଙ୍କ ଫୋନ୍‌ ସ୍ବିଚ୍‌ ଅଫ୍‌ ରହିଛି । ଏୟାରପୋର୍ଟରେ ସେମାନେ ଯେଉଁ ଠିକଣା ଦେଇଥିଲେ ସେ ସ୍ଥାନରେ ମଧ୍ୟ ନାହାନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିଶ୍ବର ୨୯ ଦେଶରେ ଓମିକ୍ରନ୍‌ ସଂକ୍ରମିତ କାୟା ମେଲାଇସାରିଲାଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଓମିକ୍ରନ୍‌କୁ ଭ୍ୟାରିଆଣ୍ଟ ଅଫ୍‌ କନ୍‌ସର୍ଣ୍ଣ କାଟାଗୋରୀରେ ରଖାଯାଇଛି । ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଣ୍ଟ ଦେଖିବାକୁ ମିଳିଥିଲା । ଭାରତରେ ମଧ୍ୟ ଏଣ୍ଟ୍ରି ମାରିସାରିଛି ଓମିକ୍ରନ୍‌ । ଗୁରୁବାର କର୍ଣ୍ଣାଟକରୁ ଜଣେ ୬୬ ବର୍ଷୀୟ ଏବଂ ଅନ୍ୟଜଣେ ୪୬ ବର୍ଷୀୟ ବ୍ୟକ୍ତି ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.