ମାସେ ପୁରିଲା ବାତ୍ୟା ତିତଲୀକୁ: ଏବେ ବି ଗଜପତି ଜିଲ୍ଲାରେ ଲିଭିନି ବାତ୍ୟାର କ୍ଷତ

Published By : Prameya-News7 Bureau | November 11, 2018 IST

ପାରଳାଖେମୁଣ୍ଡି୧୧|୧୧:  ବାତ୍ୟା ତିତଲିକୁ ପୁରିଛି ଏକ ମାସ  । ଅକ୍ଟୋବର ୧୦ତାରିଖ ରାତିରେ ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଯାଇଥିବା ଗଜପତି ଜିଲ୍ଲା ଏକ ମାସ ମଧ୍ୟରେ ଅଣ୍ଟା ସଳଖି ଛିଡା ହେବା ପାଇଁ ଚେଷ୍ଟା କରିଛି  । ଯଦିଓ ଅନେକ ରାସ୍ତା ଘାଟର ପୁନଃଉଦ୍ଧାର କରାଯିବା ସହ ଯୋଗାଯୋଗ ବ୍ୟବସ୍ଥା ସଦୃଢ କରାଯାଇଛି   । ତାହା କିନ୍ତୁ ଅସ୍ଥାୟୀ ଭାବରେ  । ବାତ୍ୟା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଘରଦ୍ବାର ଉଡାଇଦେଇଥିଲା  । କ୍ଷତିଗସ୍ତଙ୍କୁ ଅନେକ କିଛି ଦେବା ପାଇଁ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏଁ ତାହା ମିଳିପାରିନାହିଁ  । ଫଳରେ ଲୋକେ ଆଜିବି ପଲିଥିନ ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି  । ତେବେ ଏସବୁ ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ  । ଅକ୍ଟୋବର 10 ତାରିଖ  । ଏହି ରାତ୍ରିରେ ବାତ୍ୟା ତିତଲି ଗଜପତି ଜିଲ୍ଲାରେ ରଚିଥିଲା ତାର ତାଣ୍ଡବ  । ରାତିର ଗଭୀରତା ବଢିବା ସହ ତାଳ ଦେଇ ବଢି ଚାଲିଥିଲା ପବନର ବେଗ ଏବଂ ବର୍ଷାର ପରିମାଣ  । ୧୧ ତାରିଖ ସକାଳ ସିନ୍ଦୁରା ଫିଟିବା ବେଳକୁ ବଦଳି ଯାଇଥିଲା ଗଜପତି ଜି୍ଲ୍ଲାର ଚିତ୍ର  । ଜିଲ୍ଲାର ବିଭିନ୍ନ ସ୍ଥାନରେ ହଜାର ହଜାର ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ରାସ୍ତା ଘାଟରେ ପଡି ରହିଥିଲା  । ହଜାର ହଜାର ଘର ଉଡିଯାଇଥିବା ବେଳେ ପ୍ରାୟ ୫୦ଜଣଙ୍କ ଜୀବନ ନେଇଥିଲା ଏହି ବାତ୍ୟା  । ଇତି ମଧ୍ୟରେ ବିତି ଯାଇଛି ଏକ ମାସ  । ସ୍ଥିତିରେ ବହୁ ସୁଧାର ଆସିଛି  । ହେଲେ ତାହା ଲୋକଙ୍କ ସାଧାରଣ ଜୀବନକୁ ସ୍ବାଭାବିକ କରିପାରିନାହିଁ  । ରିଲିଫ, ଚାଉଳ ସହ ଟଙ୍କା ଏବଂ ପଲିଥିନ ଖଣ୍ଡିଏ ମିଳିଥିବା ବେଳେ ଘର ଉଜୁଡି ଯାଇଥିବା ଲୋକେ ଏବେବି ପଲିଥିନ ତଳେ ଜୀବନ ବିତାଉଛନ୍ତି  । ବା୍ତ୍ୟା କ୍ଷତିଗସ୍ତଙ୍କୁ ଅନେକ କିଛି ଦେବାର ପ୍ରତିଶୃତି ଦେଇଛନ୍ତି ସରକାର  । ହେଲେ ତାହା ଆଜିଯାଏଁ ମିଳିପାରିନାହିଁ  । ଫଳରେ ଲୋକେ ନିଜ ଉଦ୍ୟମରେ ଝାଟି ମାଟିରେ ଘର ନିର୍ମାଣ ପାଇଁ ଲାଗିପଡିଛନ୍ତି  । ସରକାରୀ ସହାୟତା ମିଳିଲେ ସ୍ଥାୟୀ ଭାବରେ ଘରଟିଏ ନିର୍ମାଣ କରିବାକୁ ଆଶା ବାନ୍ଦିଛନ୍ତି  ବାତ୍ୟା ବିପନ୍ନ  । ଗଜପତି ଜିଲ୍ଲା ତିତଲିରେ ପ୍ରଭାବିତ ହୋଇଥିଲେ ମଧ୍ୟ ଜିଲ୍ଲାର ରାୟଗଡ ବ୍ଲକ ଅଧିନସ୍ଥ ମହେନ୍ଦ୍ରଗିରି ପାଦ ଦେଶରେ ଥିବା ଗଙ୍ଗାବାଡ, କେରାଣ୍ଡି, ଲକ୍ଷ୍ମୀପୁର ଏବଂ କଇଁପୁର ଆଦି ୪ଟି ପଂଚାଯତ ସଂପୁଣ୍ଣ ଭାବେ ଛାରଖାର ହୋଇଯାଇଥିଲା  । ଜିଲ୍ଲାର ୪୮ଜଣଙ୍କ ଜୀବନ ଯାଇଥିବା ବେଳେ ଏହି ଅଂଚଳର ୩୪ଜଣଙ୍କ ଜୀବନ ଯାଇଥିଲା  । ସେହିପରି ୬୦ହଜାରରୁ ଅଧିକ ଘର ଉଡିଯିବା ଯୋଗୁଁ ଲୋକେ ବାସହରା ହୋଇଯାଇଛନ୍ତି  । ବିଭିନ୍ନ ସ୍ଥାନରେ ପାହାଡ ଧସିବା ଯୋଗୁଁ ଏହି ଅଂଚଳର ଆଦିବାସୀଙ୍କର ଜୀବନ ଜୀବୀକା ବିପନ୍ନ ହୋଇଛି  । ପୂର୍ବରୁ ବାତ୍ୟାର ଭୟାବହତା ସଂପର୍କରେ ଜାଣିନଥିବା ଗଜପତି ଜିଲ୍ଲାର ପାହାଡ ଉପରେ ରହୁଥିବା ଲୋକେ ତିତଲି ମାଡ ପରେ ତଳକୁ ଚାଲିଆସିବା ପାଇଁ ଚାହିଁଛନ୍ତି  । ସେଦିନ ରାତିର ସେହି ତାଣ୍ଡବକୁ ଅତି ନିକଟରୁ ଦେଖିଥିବା ଲୋକେ ଆଜି ବି ଏହାକୁ ଭୁଲି ପାରିନାହାଁନ୍ତି  । ସରକାର ଘୋଷଣା କରିଥିବା ସହାୟତା ପ୍ରଦାନ କଲେ ସେମାନେ ସମତଳ ଅଂଚଳରେ ଘରଟିଏ କରି ରହିବାକୁ ଆଶା ବାନ୍ଧିଥିବା କହିଛନ୍ତି  । ଏନେଇ ୧୦୭ଟି ପରିବାରକୁ ଜମି ପଟା ପ୍ରଦାନ କରିଦିଆଯାଇଛି  ଏବଂ ଅତିଶୀଘ୍ର ଏମାନଙ୍କୁ ଘର ନିର୍ମାଣ ପାଇଁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି  । ସେହିପରି ବାତ୍ୟା ଯୋଗୁଁ ଜିଲ୍ଲାର ୧୪୯ ପଂଚାୟତର ୧୫୨୫ଗାଁ ପ୍ରଭାବିତ ହୋଇଥିଲା  । ସେଥିମଧ୍ୟରୁ ମାତ୍ର ୨୮ଟି ଗାଁକୁ ବାଦ ଦେଲେ ବାକି ସମସ୍ତ ଗାଁରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିବା  ଜିଲ୍ଲାପାଳ କହିବା ସହ ସମସ୍ତ ଲୋକଙ୍କୁ ରିଲିଫ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦିଆଯାଇଥିବା କହିଛନ୍ତି  ।  ବାତ୍ୟା ତିତଲି ଜିଲ୍ଲାରେ ଏଭଳି କ୍ଷତିକଲା ଯେ, ଏହାର ଭରଣା କରିବା ପାଇଁ କେବଳ ଟଙ୍କା ଖର୍ଚ୍ଚ ହେବ ତାହା ନୁହେଁ, ଅନେକ ସମୟ ମଧ୍ୟ ଲାଗିବ  । ତେବେ କେତେ ସମୟ ମଧ୍ୟରେ ଜିଲ୍ଲା ସ୍ବାଭାବିକ ସ୍ଥିତିକୁ ଫେରିବ ତାହା ଉପରେ ସସସ୍ତଙ୍କ ନଜର  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.