ଆଗାମୀ ୩୦ ଦିନରେ ଦେଶରେ ଦେଢ ଲକ୍ଷ ଅତିକ୍ରମ କରିବ କରୋନା ସଂକ୍ରମିତଙ୍କ ସଂଖ୍ୟା: IIT ଗୌହାଟୀ-ସିଙ୍ଗାପୁର ଡ୍ୟୁକ୍ ମେଡିକାଲ ସ୍କୁଲ ରିପୋର୍ଟରେ ଆସିଲା ଗମ୍ଭୀର ତଥ୍ୟ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ, ୧୧|୦୫ :   ଦେଶରେ କରୋନା ଭାଇରସର ଆତଙ୍କ ଥମିବାର ନାଁ ନେଉନାହିଁ । ଏହା ମଧ୍ୟରେ ଏହି ମାରାତ୍ମକ ଭାଇରସକୁ ନେଇ ଭବିଷ୍ୟବାଣୀ କରିଛି ଆଇଆଇଟି ଗୌହାଟୀ । ସିଙ୍ଗାପୁରର ଡ୍ୟୁକ୍ ଏନୟୁଏସ ମେଡିକାଲ ସ୍କୁଲ ସହ ମିଶି ଆଇଆଇଟି ଗୌହାଟୀ ଏକ ରିପୋର୍ଟ ଓ ମଡେଲ ପ୍ରସ୍ତୁତ କରିଛି। ଏଥିରେ ଆସନ୍ତା ୩୦ ଦିନରେ କରୋନା ସଂକ୍ରମିତ ସଂଖ୍ୟା ବାବଦରେ ପୂର୍ବାନୁମାନ କରାଯିବା ସହ ଅନେକ ତଥ୍ୟ ଦିଆଯାଇଛି ।

ଏହି ମଡେଲ ଲଜିଷ୍ଟିକ୍ ଓ ଏକ୍ସପନସିଆଲ ଆଧାରକୁ ନେଇ ତିଆରି କରାଯାଇଛି । ଯାହା ସ୍ଥିତିର ଗମ୍ଭୀରତାକୁ ଦେଖି ଭବିଷ୍ୟବାଣୀ କରିଥାଏ । ମଡେଲରେ କୁହାଯାଇଛି ଯେ, ଦେଶରେ ଆଗାମୀ ୩୦ ଦିନରେ ଲଜିଷ୍ଟିକ୍ ପ୍ରଣାଳୀ ଆଧାରରେ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଛୁଇଁବ ।

ଆଇଆଇଟି ଗୌହାଟୀର ଜଣେ ଆସିଷ୍ଟାଣ୍ଟ୍ ପ୍ରଫେସର ପାଲସ ଘୋଷଙ୍କ କହିବାନୁସାରେ, ଏହି ରିପୋର୍ଟକୁ ଯଦି କେବଳ ଗୋଟିଏ ମଡେଲ ଆଧାରରେ ପ୍ରସ୍ତୁତ କରାଯାଇଥାଏ ତେବେ ଏହା ଭୁଲ ସୂଚନା ଦେବ । ତେଣୁ ଏହା ଉପରେ ଟିମ୍ ଅଧିକ ନଜର ଦେଇଛି । ଦୈନିକ ସଂକ୍ରମଣ ଦରକୁ ଲଜିଷ୍ଟିକ୍ ମଡେଲରେ ବ୍ୟବହାର କରାଯାଇଛି । ରିପୋର୍ଟରେ ସେହି ରାଜ୍ୟକୁ ଗମ୍ଭୀର ଶ୍ରେଣୀରେ ରଖାଯାଇଛି ଯେଉଁଠାରେ ୨ ସପ୍ତାହରେ କରୋନା ଦର ଦ୍ୱିଗୁଣିତ ହୋଇଯାଇଛି । ସକ୍ରିୟ ମାମଲା ହ୍ରାସ ପାଉଥିବା ରାଜ୍ୟକୁ ଅନ୍ୟ ଏକ ଶ୍ରେଣୀରେ ରଖାଯାଇଛି ।

ପ୍ରଫେସର ଘୋଷ ଆହୁରି କହିଛନ୍ତି ଯେ, ସାରା ଦେଶରେ ଛବିକୁ ମଡେଲରେ ସ୍ଥାନ ଦିଆଯାଇ ନାହିଁ । କାରଣ ଭିନ୍ନ ଭିନ୍ନ ରାଜ୍ୟ ସରକାର ଓ ସାଧାରଣ ଜନତାଙ୍କ ତରଫରୁ ଜାରି ହୋଇଥିବା ପ୍ରଥମ ସଂକ୍ରମଣ ମାମଲା, ନୂଆ ମାମଲା, ଦର ଓ ଦ୍ୱିଗୁଣିତ ହାର ଭିନ୍ନ ଅଟେ । ସମସ୍ତ ରାଜ୍ୟକୁ ଭିନ୍ନ ଭିନ୍ନ ଭାବେ ବିଶ୍ଲେଷଣ  କରିବାକୁ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.