କେନ୍ଦୁପତ୍ର ତୋଳି ଫେରୁଥିଲେ ଘରକୁ, ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ...

Published By : Prameya-News7 Bureau | May 11, 2021 IST

କେସିଙ୍ଗା,୧୧/୫: ବରଗଡ଼-ବୋରିଗୁମ୍ମାକୁ ସଂଯୋଗ ହୋଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କେସିଙ୍ଗା ଥାନା ଅନ୍ତର୍ଗତ ଅମାଠ ଛକ ନିକଟସ୍ଥ ଶିବ ମନ୍ଦିର ପାଖରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ୪ଟା ସମୟରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

୫ ଜଣ ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ହୁସେନ ସେଖ୍ (୩୮) ବୋଲି ଜଣାପଡ଼ିଛି । କେସିଙ୍ଗା ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଏହି ବ୍ୟକ୍ତିମାନେ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ରହି କେନ୍ଦୁପତ୍ର କାମ କରନ୍ତି । କାମ ସାରି ଆଜି ଏକ ବୋଲେରୋ ଗାଡ଼ି (ଓଡି ୧୦ଏଚ ୭୯୧୬) ଯୋଗେ ନିଜ ଅଞ୍ଚଳକୁ ଯାଉଥିବା ସମୟରେ ଏନ୍ଏଚ ୨୬ରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.