ଭୁବନେଶ୍ୱରରେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି , ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଆସିଲା ତଥ୍ୟ

Published By : Prameya-News7 Bureau | August 03, 2020 IST

ଭୁବନେଶ୍ୱର ୦୩।୦୮: ଭୁବନେଶ୍ୱରରେ ପ୍ରାୟ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୫ ଶହ ଲୋକଙ୍କ ଉପରେ ହୋଇଥିବା ସେରୋ ସର୍ଭେରେ ଜଣାପଡ଼ିଛି ଯେ ସେମାନଙ୍କ ଭିତରୁ ପ୍ରାୟ ୩୮ ଜଣଙ୍କ ଦେହରେ କରୋନା ଆଣ୍ଟିବଡ଼ି ସୃଷ୍ଟି ହୋଇଛି। 

ଜୁନ ମାସରେ ହୋଇଥିବା ସଂକ୍ରମଣକୁ ନେଇ କରାଯାଇଥିଲା ଏହି ସର୍ଭେ। ତେବେ ଅଗଷ୍ଟ ମାସରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ। ଏହି ସର୍ଭେରୁ ଜୁଲାଇ ମାସରେ ହୋଇଥିବା ସଂକ୍ରମଣ ଏବଂ ଆଣ୍ଟିବଡ଼ି ସୃଷ୍ଟି ଉପରେ ତଥ୍ୟ ସାମ୍ନାକୁ ଆସିବ। ଅଗଷ୍ଟ ୧୬ରୁ ଭୁବନେଶ୍ବରରେ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ।

ସେପଟେ ଆଜିଠାରୁ ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେଉଛି। ୨୫ ଶହ ସାମ୍ପୁଲକୁ ନେଇ ଗଞ୍ଜାମ ଜିଲ୍ଲାରେ ସର୍ଭେ କରାଯିବ। ସେହିପରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ତର୍ଜମା ପାଇଁ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରେ ୯୦୦ କମ୍ୟୁନିଟି ଓ ୬୦୦ ହାଇରିସ୍କ ଗ୍ରୁପ୍ ଙ୍କ ଠାରେ ସେରୋ ସର୍ଭେ କରାଯିବ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.