ଫିଲ୍ମ ପ୍ରଯୋଜକ ହେଲେ ଠକେଇର ଶିକାର : ୧.୧୫ କୋଟି ନେଇ ଫେରାର ହୋଇଗଲେ ୨ କର୍ମଚାରୀ

Published By : Prameya-News7 Bureau | December 14, 2019 IST

କେନ୍ଦ୍ରାପଡ଼ା,୧୪/୧୨(ଆପ୍ର): ଯେଉଁମାନଙ୍କୁ ନିଜ ପରିବାର ସଦସ୍ୟଙ୍କଠାରୁ ବି ଅଧିକ ବିଶ୍ୱାସ କରୁଥିଲେ, ସେମାନେ ଶେଷରେ ଚୂନ ଲଗାଇଦେଇ ଚାଲିଗଲେ । ଜଣେ ନିଖୋଜ ତ ଆଉ ଜଣଙ୍କଠାରୁ କିଛି ହିସାବ ମିଳୁନି । ଏଭଳି ଠକାମିର ଶିକାର ହୋଇଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ । ତାଙ୍କ ଦୁହୁରିଆସ୍ଥିତ ପେଟ୍ରୋଲ୍‌ ପମ୍ପ୍‌ ଓ ଅଦାଲତ ପାଖରେ ଥିବା ସିନେମା ହଲ୍‌ର ଉପାର୍ଜିତ ଅର୍ଥକୁ ଗାଏବ କରିଦେଇଛନ୍ତି ଦୁଇ ଜଣ କର୍ମଚାରୀ ।

ଏ ନେଇ ସଦର ଥାନାରେ ରବୀନ୍ଦ୍ରଙ୍କ ପୁଅ ପ୍ରଦୀପ କୁମାର ସାହୁ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିଖୋଜ କର୍ମଚାରୀଙ୍କ ପରିବାର ମଧ୍ୟ ସେମାନଙ୍କ ନିଖୋଜ ବାବଦରେ ଥାନାରେ ଏତଲା ଦେଇଛନ୍ତି । ରହସ୍ୟମୟ ଭାବେ ସପ୍ତାହେରୁ ଅଧିକ ଦିନ ହେବ କୁଆଡ଼େ ମିଳୁନାହାନ୍ତି ପେଟ୍ରୋଲ ପମ୍ପ ଓ ପରିବାର ଅଦଲତ ସନ୍ନିକଟ ଭାସ୍କର ସିନେମା ହଲ୍‍ କଥା ବୁଝାବୁଝି କରୁଥିବା କର୍ମଚାରୀ ଦିଲାରପୁର-ବଡ଼ହାଟର ରବୀନ୍ଦ୍ର କୁମାର ସାହୁ ଓ ତାଙ୍କ ସହଯୋଗୀ ରତ୍ନାକର ଦାଶ । ସେମାନେ ପ୍ରାୟ କୋଟିଏ ୧୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଏତଲାରେ ଦର୍ଶାଯାଇଛି । ଏତେ ଟଙ୍କା କେମିତି ଆତ୍ମସାତ ହେଲା ଓ ପରିବାର ଲୋକେ କିପରି ଜାଣିପାରିଲେନି ତାହାକୁ ନେଇ ସନ୍ଦେହ ଘେରରେ ରହିଛି ପୁଲିସ । ରବୀନ୍ଦ୍ର ଓ ରତ୍ନାକର ମିଳିଗଲେ ସବୁ ଘଟଣାର ଖୁଲାସା ହୋଇଯିବ । ଆମେ ଉଭୟଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛୁ ବୋଲି କହିଛନ୍ତି ସଦର ଆଇଆଇସି ପ୍ରମୋଦ କୁମାର ମଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.