ଚୀନ୍‌‌ ନିୟନ୍ତ୍ରଣରେ ଲଦାଖର ୧ହଜାର ବର୍ଗ କିମି ଅଞ୍ଚଳ : ଗୁଇନ୍ଦା ରିପୋର୍ଟ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯ : ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିଚାଲିଛି । କିଛି ଦିନ ତଳେ ଲଦାଖର ଗଲଓ୍ୱାନ୍‌ ଘାଟିରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ କି ଉଭୟ ପଟର ସୈନିକ ସହିଦ ହୋଇଥିଲା । ତାପରଠାରୁ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ରହିଛି । ସୀମାରେ ପ୍ରତିଦିନ ଯୁଦ୍ଧ ଭଳି ପରିସ୍ଥିତି ରହିଛି । ଯାହାକୁ ସମାଧାନ କରିବା ପାଇଁ ଉଭୟ ଦେଶ ଆଲୋଚନା ଜାରି ରଖିଥିବା ବେଳେ ପୁଣି ଥରେ ଚୀନ୍‌ ନିଜର ଧୋକାବାଜ୍‌ ପଣ ଦେଖାଇଛି । ଗୋଟିଏ ପଟେ ପୂର୍ବ ବିବାଦକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ଗତ ୨୯-୩୦ ମଧ୍ୟରାତ୍ରୀରେ ଚୀନ୍‌ ସୈନିକ ମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଭାରତୀୟ ସେନା ଏହାର ମୁହଁତୋଡ୍‌ ଜବାବ ଦେଇଥିଲା । ଯାହାଫଳରେ କି ଉଭୟ ଦେଶ ମଧ୍ୟରେ ପୁଣି ଥରେ ଅଘୋଷିତ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି । ତେବେ ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି । ଭାରତର ୧ହଜାର ବର୍ଗ କିମି ଅଞ୍ଚଳ ବର୍ତ୍ତମାନ ଚୀନ୍ ନିଜ ନିୟନ୍ତ୍ରଣରେ ରଖିଛି । କେନ୍ଦ୍ରକୁ ଦିଆଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ରହିଛି ବୋଲି ସୂଚନା ରହିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ସହିତ ଲଦାଖରେ ଅତିକମ୍‌ରେ ୧ହଜାର ବର୍ଗ କିମି କ୍ଷେତ୍ର ଏବେ ଚୀନ୍‌ ନିଜ ନିୟନ୍ତ୍ରଣରେ ରଖିଛି । କେନ୍ଦ୍ରକୁ ଦିଆଯାଇଥିବା ଏକ ଗୁଇନ୍ଦା ରିପୋର୍ଟ ଏହା ରହିଛି ବୋଲି ଚର୍ଚ୍ଚା ହେଉଛି । ଅପ୍ରେଲ୍‌-ମଇରେ ଚୀନ୍‌ ଏଲ୍‌ଏସି ଲଗାତର ଭାବେ ନିଜର ସୈନ୍ୟକ୍ଷମତା ବୃଦ୍ଧି କରିଚାଲିଛି । ଚୀନ୍‌ର ପିପୁଲ୍ସ ଲିବେରସନ୍‌ ଆର୍ମି (PLA) ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ହିଂସା ଘଟଣାରେ ଭାରତର ଅନେକ ଯବାନ ସହିଦ ହୋଇଥିଲେ ।  ତେବେ ଚୀନ୍ ପୁଣି ଥରେ ଭାରତର ଜମି ଅଧିକାର କରିଛି। ଏକ ରିପୋର୍ଟ ଅନୁଯାୟୀ, ଲଦାଖ ଅଞ୍ଚଳରେ ଚୀନ୍ ୧ହଜାର ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳ ଦଖଲ କରିଛି। ହେପ୍‌ସାଙ୍ଗ ଅଞ୍ଚଳରୁ ଚେଷୁଲ ପର୍ଯ୍ୟନ୍ତ ଏହି ଅଞ୍ଚଳ ସବୁ ଚୀନ୍‌ ନିଜ କବ୍‌ଜାରେ ରଖିଛି ବୋଲି ଚର୍ଚ୍ଚା ହେଉଛି ।

ସୂଚନାନୁସାରେ ଗଲଓ୍ୱାନ୍‌ ଘାଟିର ୨୦ବର୍ଗ କିମି, ହଟ୍‌ ହଟ୍ ସ୍ପ୍ରିଙ୍ଗ୍ସ  ଅଞ୍ଚଳରେ ୧୨ବର୍ଗ କିମି ଚୀନ୍‌ କବ୍‌ଜାରେ ରହିଛି । ସେହିପରି ପାଙ୍ଗଙ୍ଗ ସୋରେ ଚୀନ୍‌ ନିୟନ୍ତ୍ରଣରେ 65 ବର୍ଗ କିମି ଥିବା ବେଳେ ଚୁସୁଲରେ ୨୦ ବର୍ଗ କିମି ରହିଛି । ଏହିପରି ଅନେକ ଅଞ୍ଚଳରେ ଚୀନ୍‌ କବ୍‌ଜାର କରିରହିଛି । ଚୀନ୍ର ସୀମାବିବାଦକୁ ନେଇ କୁଟନୀତିକ ଓ ସୈନ୍ୟ ସ୍ତରରେ ଅନେକ ପର୍ଯ୍ୟାୟରେ ଆଲୋଚନା ପରେ ବି ବିବାଦ ଲାଗିରହିଛି ।  ପେଙ୍ଗାଙ୍ଗ ହ୍ରଦ ନିକଟରେ ଫିଙ୍ଗର ୪ରୁ ୮ ପର୍ଯ୍ୟନ୍ତ ଚୀନ୍‌ ସେନା ଅନେକ ଅଞ୍ଚଳ ଉପରେ କବ୍‌ଜା କରିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.