୪ ଘଣ୍ଟା ନୋଟିସରେ କାହିଁକି ହେଲା ଲକଡାଉନ୍? ସରକାର ଦେଲେ ଉତ୍ତର
16/09/2020 at 1:52 PM

ନୂଆଦିଲ୍ଲୀ ୧୬/୦୯: ମାର୍ଚରେ ମାସରେ ମାତ୍ର ଚାରି ଘଣ୍ଟା ନୋଟିସରେ ଦେଶରେ ଲାଗୁ କରଯାଇଥିବା ଲକଡାଉନକୁ ନେଇ କଂଗ୍ରେସ ନେତା ମନୀଷ ତିଓ୍ବାରି ଗତକାଲି ସଂସଦରେ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ଲିଖିତ ଭାବେ ଏହାର ଉତ୍ତର ରଖିଛନ୍ତି। ସରକାର କହିଛନ୍ତି ଅନ୍ୟ କିଛି ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ତଥା ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଲୋକଙ୍କ ଗତିବିଧି ବା ଯା’ଆସ ଯୋଗୁ କରୋନା ବ୍ୟାପିବା ସମ୍ଭାବନା ଅଧିକ ଥିଲା।
କଂଗ୍ରେସ ସାଂସଦ ମନୀଷ ପଚାରିଥିଲେ, ‘ଏମିତି କି କାରଣ ଥିଲା ଯେ ମାର୍ଚ ୨୩ ତାରିଖରେ ମାତ୍ର ଚାରି ଘଂଟାର ନୋଟିସରେ ଲକଡାଉନ ଲାଗୁ କରାଗଲା। ଏତେ କମ୍ ସମୟ ମଧ୍ୟରେ ଏତେ ଶୀଘ୍ର କାହିଁକି ତାଲାବନ୍ଦ ଘୋଷଣା ହେଲା। ଲକଡାଉନ କ’ଣ କୋଭିଡ୍-୧୯ ରୋକିବା ଦିଗରେ ସଫଳ ହୋଇଛି?’

ସରକାରଙ୍କ ତରଫରୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ। ସେ ଲିଖିତ ଭାବେ ଏହାର ଉତ୍ତର ଦେଇ କହିଛନ୍ତି ଜାନୁଆାରୀ ୭ରେ କରୋନା ପ୍ରକୋପ ଦେଖିବା ପରେ ସରକାର ଏହାକୁ ରୋକିବା ଦିଗରେ ଅନେକ ଉପାୟ କରିଥିଲେ। ଯେଉଁଥିରେ ସାମିଲ ଥିଲା ଆନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ଲୋକଙ୍କୁ ଆଡଭାଇଜରି, କ୍ବାରେଣ୍ଟାଇନ୍ ସୁବିଧା ଆଦି । ମାର୍ଚ ୧୧ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ବ ମହାମାରୀ ଘୋଷଣା କରିଥିଲା। ତମାମ ଦେଶର କଟକଣା ଆଦିକୁ ଦେଖି ମାର୍ଚ ୨୪ରେ ଲକଡାଉନ୍ ଘୋଷଣା କରାଗଲା।
ଲକଡାଉନ୍ ଲାଗୁ କରି ସଂକ୍ରମଣ ପ୍ରସାରକୁ ସଫଳତାପୂର୍ବକ ବିଫଳ କରାଯାଇଛି। ଲକଡାଉନରେ ଆବଶ୍ୟକ ଅତିରିକ୍ତ ସ୍ବାସ୍ଥ୍ୟ ସେବା ଢ଼ାଞ୍ଚାକୁ ବିକଶିତ କରିବା ଦିଗରେ ଦେଶକୁ ସାହାଯ୍ୟ କରାଗଲା। ଏହା ଦ୍ବାରା ଆଇସୋଲେସନ ବେଡ୍ ୨୨ ଗୁଣ ଓ ଆଇସିୟୁ ବେଡରେ ୧୪ ଗୁଣ ବୃଦ୍ଧି ହୋଇଛି। ସେହିପରି ଗବେଷଣାଗାରର କ୍ଷମତା ଦଶ ଗୁଣ ବଢ଼ିଛି।
ସରକାର ଏ କଥା ବି କହିଛନ୍ତି ଯଦି ତାଲାବନ୍ଦ ଘୋଷଣା ନ କରାଯାଇଥାନ୍ତା, ତାହେଲେ ୧୪ରୁ ୨୯ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଆସିଥାନ୍ତା ଓ ୩୭ରୁ ୩୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା।