ହଳଦିଆପଦର ନୂତନ ବସ୍ଷ୍ଟାଣ୍ଡ୍କୁ ସ୍ଥାନାନ୍ତରିତ ଯୋଜନା ନେଇ ବିଧାୟକଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
30/06/2018 at 9:15 PM

ସହରର ଜନସଂଖ୍ୟ, ବସ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୁଣା ବସ୍ଷ୍ଟାଣ୍ଡ୍ରୁ ଏହି ବସ୍ଷ୍ଟାଣ୍ଡ୍କୁ ୧୯୮୯ ମସିହାରେ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ପୁଣି ସେହି ଏକା ସମାସ୍ୟା ଦେଖାଯାଇଛି। ଦିନକୁ ଦିନ ସହରର ଜନସଂଖ୍ୟ, ବସ୍ତି, ରାସ୍ତାଘାଟ ବୃଦ୍ଧି ପାଉଛି। ଟ୍ରାଫିକ୍ ଜାମ୍ ରହୁଛି। ଏଥିପାଇଁ ସହର ଉପକଣ୍ଠ ହଳଦିଆପଦର ଠାରେ ନୂତନ ସିଟି ବସ୍ ଷ୍ଟାଣ୍ଡ୍ ନିର୍ମାଣ କରାଯାଇଛି। ଏହି ନୂତନ ବସ୍ଷ୍ଟାଣ୍ଡ୍କୁ ଗତ ଦୁଇ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଆସନ୍ତା କାଲି ଏହି ନୂତନ ସିଟି ବସ୍ଷ୍ଟାଣ୍ଡ୍ର ପ୍ରଚଳନ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ହେଲେ ଏହି ନୂତନ ବସ୍ ଷ୍ଟାଣ୍ଡ୍କୁ ଯିବା ପାଇଁ ବସ୍ ମାଲିକ ସଂଘ ରାଜି ହେଉନାହାନ୍ତି। ସହରର ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ପରିମିଟ୍ ମିଳିଥିବା ବେଳେ ଅଧିକା ୫ କିଲୋମିଟର ନୂତନ ସିଟି ବସ୍ଷ୍ଟାଣ୍ଡ୍କୁ କେମିତି ଯିବୁ ବୋଲି ପ୍ରଶ୍ନ କରିଛନ୍ତି! ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହଳଦିଆପଦର ବସ୍ ଷ୍ଟାଣ୍ଡ୍ କୁ ଯିବାକୁ ହେଲେ ଓଭର୍ ବ୍ରିଜ୍ ପାର ହୋଇ ଯିବାକୁ ହେବ। ବ୍ରିଜ୍ ଓ ଜାତୀୟ ରାଜପଥକୁ ସଂଯୋଗୀକରଣ କରୁଥିବା ରାସ୍ତା ଦୁଃର୍ଘଟଣା ଜୋନ୍ ଭାବେ ଚିହ୍ନଟ ହୋଇଥିବା ବେଳେ ନୂତନ ବସ୍ ଷ୍ଟାଣ୍ଡ୍ରେ ଆବଶ୍ୟକୀୟ ଉପକରଣ ନାହିଁ। ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ବସ୍ ମାଲିକ ସଂଘକୁ କୌଣସି ସ୍ଥାନାନ୍ତରିତ ପ୍ରସଙ୍ଗରେ ଜଣାଇ ନାହାନ୍ତି। ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରି ସ୍ଥାନାନ୍ତରିତ କରାଗଲେ ଆନ୍ଦୋଲନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ବସ୍ ମାଲିକ ସଂଘ। ସେପଟେ ବସ୍ଷ୍ଟାଣ୍ଡ୍ ପରିସରରେ ଥିବା କ୍ଷୁଦ୍ର ବ୍ୟବସାୟୀ ସଂଘ ମଧ୍ୟ ଏହାକୁ ବିରୋଧ କରିଛି। ଏଠାରୁ ବସ୍ ଷ୍ଟାଣ୍ଡ୍ ସ୍ଥାନାନ୍ତରିତ ହେଲେ କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି! ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଏବଂ ଥଇଥାନ କରିବା ଦାବୀରେ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ବାସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।