ସ୍ବାସ୍ଥ୍ୟ ବିଭାଗରେ ୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ ହେବ ଛଟେଇ, ଯୋଗୀ ସରକାର ଦେଲେ ଆଦେଶ
16/09/2020 at 3:26 PM

ଲକ୍ଷ୍ମୌ ୧୬/୦୯: ସ୍ବାସ୍ଥ୍ୟ ବିଭାଗରେ ୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କୁ ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ ଶୀଘ୍ର ଛଟେଇ କରିବେ। ଏ ପାଇଁ ଯୋଗୀ ସରକାର ଚାରିଜଣ ସଦସ୍ୟ ବିଶିଷ୍ଟ ସ୍କ୍ରିନିଂ କମିଟି ଗଠନ କରିଛନ୍ତି। ଏ କମିଟି ୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା, ସଚ୍ଚୋଟତା ଓ ଶାରିରୀକ ଦକ୍ଷତା ଆଧାରରେ ସ୍କ୍ରିନିଂ କରିବ। ଏହା ପରେ ଛଟେଇ ପର୍ବ ଆରମ୍ଭ କରିବ।
ସେପ୍ଟେମ୍ବର ୧୫ରେ ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସ୍ବାସ୍ଥ୍ୟ ବିଭାଗରେ କାମ ପ୍ରତି ବେପରୁଆ ମନୋଭାବ ଓ କାମରେ ଅବହେଳା କରୁଥିବା କର୍ମଚାରୀଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କୁ ବାହାର କରି ଦିଆଯିବ। କମିଟି ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ପଠାଇବେ ଓ ସେହି ଆଧାରରେ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନଚେତ ସେମାନଙ୍କୁ ଚାକିରିରୁ ବାହାର କରିବେ।
ଗତକାଲି ଚିକିତ୍ସା ଓ ସ୍ବାସ୍ଥ୍ୟ ସେବା ନିର୍ଦେଶକ ଡାକ୍ତର ପୂଜା ପାଣ୍ଡେ ଚାରି ଜଣିଆ କମିଟି ଗଠନ କରିବାର ଆଦେଶ ଜାରି କରିଥିଲେ। ସରକାରଙ୍କ ଏଭଳି ନିଷ୍ପତିରେ କର୍ମଚାରୀ ସଂଗଠନ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ଚେତାବନୀ ଦେଇଛନ୍ତି। ରାଜ୍ୟ କର୍ମଚାରୀ ସଂଯୁକ୍ତ ପରିଷଦର ମହାମନ୍ତ୍ରୀ ଆରକେ ନିଗମ ଏହାକୁ ଅମାନବୀୟ କହିଛନ୍ତି।
ସେ କହିଛନ୍ତି କୋଭିଡ୍ ସମୟରେ କର୍ମଚାରୀଙ୍କ ଆତ୍ମବିଶ୍ବାସ ବଢ଼ାଇବା ପରିବର୍ତେ ସରକାର ସେମାନଙ୍କୁ ହତୋତ୍ସାହିତ କରିବା କାମ କରୁଛନ୍ତି। ଏହା ଜରିଆରେ ଲୋକଙ୍କୁ ଚାକିରି ଦେବା ବଦଳରେ ଛଟେଇ କରିବାର ସରକାରୀ ଯୋଜନା କରୁଛନ୍ତି ଯାହା ଦୁଭାର୍ଗ୍ୟପୂଣ୍ର୍ଣ ବୋଲି ସେମାନେ କହିଛନ୍ତି।