ସାମ୍ବାଦିକା ନେହା ଦୀକ୍ଷିତଙ୍କୁ ଦୁଷ୍କର୍ମ ଓ ଏସିଡ୍ ଆକ୍ରମଣ ଧମକ, ପାର୍ଟନରଙ୍କୁ ହତ୍ୟା ଚେତାବନୀ
28/01/2021 at 5:43 PM

ନୂଆଦିଲ୍ଲୀ ୨୮।୦୧: ପୁରସ୍କାର ବିଜେତା ସାମ୍ଵାଦିକା ନେହା ଦୀକ୍ଷିତ ଦୁଷ୍କର୍ମ ଏବଂ ଏସିଡ୍ ଆକ୍ରମଣ ପାଇଁ ତାଙ୍କୁ ଦିଆଯାଉଥିବା ଧମକ ଘଟଣାକୁ ସାମାଜିକ ଗଣମାଧ୍ୟମରେ ବଖାଣିଛନ୍ତି। ସେ ଟ୍ଵିଟ୍ରରେ ଘଟଣା ସଂପର୍କରେ ବିସ୍ତୃତ ଲେଖି ଅଭିଯୋଗ କରିଛନ୍ତି ଯେ, କେହି ଜଣେ ଗତ ସେପ୍ଟେମ୍ବରରୁ ବିଭିନ୍ନ ନମ୍ବରରେ କଲ୍ କରି ଦୁଷ୍କର୍ମ ଏବଂ ଏସିଡ୍ ଆକ୍ରମଣର ଧମକ ଦେଉଛି। କେବଳ ଏତିକି ନୁହେଁ ମୋର ପାର୍ଟନର ନକୁଳକୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଦେଉଛି। କେହି ମୋର ଘର ଭାଙ୍ଗିବାକୁ ଚାହୁଁଥିବା ସାମ୍ବାଦିକା କହିଛନ୍ତି।

ସେ କହିଛନ୍ତି ଯେ, ଉକ୍ତ ଅଜଣା ବ୍ୟକ୍ତି ମୁଁ ରହୁଥିବା ପ୍ରକୃତ ଠିକଣା ଜାଣିଛି। ମୁଁ ସାମ୍ବାଦିକା ଜାଣିବା ସତ୍ଵେ ବି ବାରମ୍ବାର ଫୋନ୍ କରି ମୋତେ ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଜୀବନରେ ମାରି ଦେବାକୁ ଧମକ ଦେଉଛି। ଅନେକ ନମ୍ବରରୁ ଏବଂ ବିଭିନ୍ନ ସ୍ଵରରେ ମୋ ପାଖକୁ ଫୋନ୍ କରାଯାଉଛି। ୧୨ରୁ ଅଧିକ ନମ୍ବର ଏହି କାମରେ ବ୍ୟବହାର ହୋଇ ସାରିଲାଣି। ଉକ୍ତ ବ୍ୟକ୍ତି ମୋ ପାର୍ଟନର ନକୁଲ କେଉଁଠି ଅଛି ତାହା ମଧ୍ୟ ଜାଣିଛି। ଉଭୟକୁ ମାରି ଦେବାକୁ ଧମକ ଦେଉଛି। ନକୁଲ ଜଣେ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାତା।

ସେ କହିଛନ୍ତି ଜାନୁଆରୀ ୨୫ ସକାଳ ପ୍ରାୟ ୯ଟାରେ କେହି ଜଣେ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। କବାଟ ଖୋଲି ଚିତ୍କାର କରିବାରୁ ବ୍ୟକ୍ତି ଜଣକ ଫେରାର ହୋଇ ଯାଇଥିଲା। ଏ ନେଇ ମୁଁ ସ୍ଥାନୀୟ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ସେ କହିଛନ୍ତି ନିକଟରେ ଏମିତି ଅନେକ ସାମ୍ବାଦିକ, କଳାକାର, ଫିଲ୍ମ ନିର୍ମାତା, କାର୍ଯ୍ୟକର୍ତ୍ତା ଏମିତି ଘଟଣାର ସମ୍ମୁଖୀନ ହୋଇଛନ୍ତି ଏବଂ କିଛି ହତ୍ୟାର ଶିକାର ହୋଇଛନ୍ତି। ତେଣୁ ମୁଁ ଏହି ପରି ଘଟଣାକୁ ଅନଲାଇନ୍ ଦୁନିଆରେ ଅବଗତ କରାଇବାକୁ ଚାହୁଁଛି ବୋଲି ସାମ୍ବାଦିକା ନେହା ଦୀକ୍ଷିତ କହିଛନ୍ତି।
ନେହା ସାମାଜିକ ନ୍ୟାୟ, ରାଜନୀତି ଓ ଲିଙ୍ଗଗତ ହିଂସାର ଖବର ପ୍ରସାରଣ ପାଇଁ ପରିଚିତ। ୨୦୧୫ରେ ଆଉଟଲୁକ୍ ଇଣ୍ଡିଆ ପାଇଁ ୨୦୧୩ରେ ମୁଜଫରନଗର ଦଙ୍ଗା ସମୟରେ ଧାର୍ମିକ ସଂଖ୍ୟାଲଘୁର ମହିଳାଙ୍କ ସହିତ ହୋଇଥିବା ଯୌନ ହିଂସା ଓ ଦୁଷ୍କର୍ମ ବିଷୟରେ ଲେଖିଥିଲେ। ଏହି ସମୟରେ ମଧ୍ୟ ତାଙ୍କୁ ହତ୍ୟା ଧମକ ମିଳିଥିଲା।