ସହଯୋଗୀ ଦଳକୁ ଭାଙ୍ଗିଲା ବିଜେପି , ଅରୁଣାଚଳରେ ୬ ଜେଡିୟୁ ବିଧାୟକ ଧରିଲେ ପଦ୍ମ
25/12/2020 at 3:33 PM

ନୂଆଦିଲ୍ଲୀ ୨୫।୧୨: ଭାରତୀୟ ଜନତା ପାର୍ଟି ନିଜ ସହଯୋଗ ଦଳ ଜେଡିୟୁକୁ ବଡ଼ ଝଟକା ଦେଇଛି । ବିହାରରେ ନୀତିଶ କୁମାରଙ୍କ ସରକାରରେ ସାମିଲ ଥିବା ବିଜେପି ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ଜଣ ବିଧାୟକଙ୍କୁ ନିଜ ପାର୍ଟିରେ ସାମିଲ କରିଛି । ରାଜ୍ୟରେ ଜେଡିୟୁର ସାତ ଜଣ ବିଧାୟକ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ୬ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟର ବିଧାନସଭା ଆସନ ଅନୁସାରେ, ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ)ର ଲିବାବାଲି ନିର୍ବାଚନ କ୍ଷେତ୍ରର ବିଧାୟକ କରଦୋ ନିଙ୍ଗୋୟର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ପଞ୍ଚାୟତ ଓ ନଗର ନିଗମ ନିର୍ବାଚନରେ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଏପରି ଖବର ସାମ୍ନାକୁ ଆସିଛି ।
ତେବେ ସାମିଲ ହୋଇଥିବା ବିଧାୟକମାନେ ହେଲେ, ରାମଗାଙ୍ଗ କ୍ଷେତ୍ରରୁ ତାଳିମ ତବୋହ, ଚାୟୋଙ୍ଗତାଜରୁ ହେୟେଙ୍ଗ ମଙ୍ଗଫି, ତାଳିରୁ ଜିକ୍କେ ତକୋ, , କଲାକ୍ତଙ୍ଗରୁ ଦୋରଜୀ ବଙ୍ଗ୍ଦି ଖର୍ମା, ବୋମିଡିଳାରୁ ଡୋଙ୍ଗେରୁ ସିୟନ୍ଙ୍ଗୁଜ୍ ଏବଂ ମାରିୟାଙ୍ଗ-ଗେକୁରୁ ନିର୍ବାଚିତ ହୋଇଥିବା କାଙ୍ଗଙ୍ଗୋଗ ଟାକୁ ବିଜେପିରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ନଭେମ୍ବର ୨୬ରେ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ନୋଟିସ ଜାରି କରାଯାଇଥିଲା । ପରେ ଏମାନଙ୍କ ନିଲମ୍ବିତ କରାଯାଇଥିଲା ।
ଏହାପୂର୍ବରୁ ଜେଡିୟୁର ୬ବିଧାୟକ ପାର୍ଟିର ବିନା ଅନୁମତିରେ ତାଲିମ୍ ତବୋହଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଥିଲେ । ପିପିଏ ବିଧାୟକଙ୍କୁ ମଧ୍ୟ କ୍ଷେତ୍ରୀୟ ପାର୍ଟି ଏହି ମାସରେ ନିଳମ୍ବିତ କରିଥିଲେ । ଏବେ ସମସ୍ତ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ବିଜେପି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏମାନଙ୍କୁ ପାର୍ଟି ପ୍ରାଥମିକ ସଦସ୍ୟତା ଦିଆଯାଇଛି ।