ସରକାର ଏବଂ ଚାଷୀଙ୍କ ମଧ୍ୟରେ ବୈଠକ : ନିଜ ଜିଦରେ ଅଟଳ ଉଭୟ ପକ୍ଷ, ବାହାରିପାରୁନି ନିସ୍କର୍ଷ
15/01/2021 at 3:53 PM

ନୂଆଦିଲ୍ଲୀ ୧୫/୦୧ : କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ୯ମ ଥର ପାଇ ବୈଠକ ଜାରି ରହିଛି । ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ୮ଥର ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଥିଲା । ଗୋଟେ ପଟେ କୃଷକ ସଂଗଠନ ନୂଆ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଅଡିବସିଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ କୌଣସି ମତେ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିସାରିଛନ୍ତି । ନୂଆ ଆଇନରେ ସଂଶୋଧନ ପାଇଁ ସରକାର ରାଜିଥିବା କହୁଥିବାବେଳେ ଚାଷୀମାନେ କିନ୍ତୁ ଆଇନ ପ୍ରତ୍ୟାହାର ଜିଦ୍ରେ ଅଟଳ ।
ଶୁକ୍ରବାର ୯ମ ଥର ପାଇଁ ବିଜ୍ଞାନ ଭବନରେ ସରକାର ଏବଂ ଚାଷୀନେତାମାନଙ୍କ ବୈଠକ ଜାରି ରହିଛି । ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ‘ଚାଷୀମାନେ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି କି ସରକାର ତାଙ୍କ ଜିଦରେ ଅଟଳ କିନ୍ତୁ ସରକାର ଚାଷୀଙ୍କ କଥା ଶୁଣୁଛନ୍ତି ଏବଂ ଏହାର ନିର୍ଯ୍ୟାସ ନବାହାରିବା ଯାଏଁ ଚାଷୀଙ୍କ ସହ ଆଲୋଚନା ଜାରି ରହିବ’ ।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ପିୟୁସ ଗୋୟଲ୍ ଏଫସିଆଇ ସହ ଜଡିତ ତଥ୍ୟ ପ୍ରଦାନ କରିଥିଲେ । କିନ୍ତୁ ଚାଷୀମାନେ ଲଗାତାର ଭାବେ ନୂଆ ଆଇନକୁ ହିଁ ରଦ୍ଦ କରିବା ପାଇଁ ଜିଦ୍ ଧରିଛନ୍ତି । ଏହା ସହ ପଞ୍ଜବରେ ଚାଷୀମାନଙ୍କ ଦ୍ବାରା ହେଉଥିବା ବିକ୍ଷୋଭ ଏବଂ ହରିୟାଣାରେ ଚାଷୀମାନଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ତେବେ ଏହି ସବୁ ମାମଲାରେ ଚାଷୀମାନଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ମାମଲାକୁ ତୁରନ୍ତ ରଦ୍ଦ କରିବା ପାଇଁ ଚାଷୀମାଦେ ଦାବି କରିଛନ୍ତି ।
ସୁପ୍ରିମକୋର୍ଟ ୩ ନୂଆ ଆଇନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଚାଷୀମାନେ ସୁପ୍ରିମକୋର୍ଟଙ୍କ ଆଦେଶକୁ ବିରୋଧ କରିବା ସହ ନୂଆ ଆଇନ ପ୍ରତ୍ୟାହାର କରିବା ଜିଦରେ ଅଟଳ ଅଛନ୍ତି । ତେବେ ୯ମ ଥର ପାଇଁ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହେଉଥିବା ଆଲୋଚନାରେ କିଛି ସମାଧାନର ରାସ୍ତା ବହାରୁଛି କି ନାହିଁ ତାହା ଦେଖିବା ବାକି ରହିଲା ।