ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷା
28/06/2018 at 11:29 PM

ଉତ୍ତରପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷା ଲାଗିରହିଛି। ଏହି ସମୟ ମଧ୍ୟରେ ପୁରୀରେ ସର୍ବାଧିକ ୧୪୩ ମିଲିମିଟର ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୮୬ ଓ କଟକରେ ୬୫ ମିଲିମିଟର ବର୍ଷା ହୋଇଛନ୍ତି। କେବଳ ସେତିକି ନୁହେଁ ଏହି ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ମୌସୁମୀ ସକ୍ରୀୟ ହୋଇଛି। ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ କମିଯିବ। ମାତ୍ର ଉପକୂଳ ଓଡ଼ିଶାରେ ବର୍ଷା ଆହୁରି୧୨ ଘଣ୍ଟାଯାଏ ଲାଗି ରହିବ। ଏହି ସମୟ ମଧ୍ୟରେ ପୁରୀ, ଖୋର୍ଧା, ନୟାଗଡ଼,ଗଞ୍ଜାମ, ଗଜପତି, ରାୟଗଡ଼ା,ମାଲକାନଗିରି,କଟକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡ଼ା, ନୂଆପଡ଼ା ଓ ବଲାଙ୍ଗୀରରେ ୧୨ ଘଣ୍ଟା ପରେ ବର୍ଷା ହେବାର ସମ୍ଭାବନ ରହିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ର ଉପକୂଳରେ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଫଳରେ ସମୁଦ୍ର ବେଶ୍ ଅଶାନ୍ତ ରହିବ। ତେଣୁ ସମୁଦ୍ରକୁ ମାଛ ମାରିବା ପାଇଁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି।