ରେବତୀ ଅପା : Khabardar (29.06.2018)
29/06/2018 at 11:37 PM

ଦିଦିଙ୍କ ପାଇଁ କାନ୍ଦବୋବାଳି । ପୂରା ଅଞ୍ଚଳ ଭାବବିହ୍ବଳ । କାରଣ ଦିଦି ଥିଲେ ସେମାନଙ୍କ ବାପା-ମାଆ … ସେମାନଙ୍କ ପାଇଁ ଭଗବାନ । କିନ୍ତୁ ଏବେ ସରକାରୀ ନିୟମ ଅନୁୟାୟୀ ଦିଦି ସେମାନଙ୍କ ଠାରୁ ଦୂରେଇ ଯିବେ, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ହୋଇଛି । କିଏ ସେହି ଦିଦି କାହିଁକି ତାଙ୍କ ପାଇଁ ଲୋକେ ଏତେ ଭାବବିହ୍ବଳ।
ରେବତୀ ସ୍ବାଇଁ। ଘର ଜଗତସିଂହପୁର ଜିଲ୍ଲା ବିରାଟକଟକ ଗାଁରେ। ୨୭ ବର୍ଷ ତଳେ ୧୯୯୧ରେ ରାୟ.ଗଡ଼ା ଜିଲ୍ଲା କୁଲୁସିଂ ପଞ୍ଚାୟତରେ ସ୍ବାସ୍ଥ୍ୟକର୍ମୀ ଭାବେ ଯୋଗ ଦେଇଥିଲେ । ନିଜ ସେବାପରାୟଣତା ପାଇଁ ସେ ସାରା ଅଞ୍ଚଳକୁ ନିଜର କରିନେଇପାରିଛନ୍ତି । ଗର୍ଭବତୀ ମହିଳାଙ୍କ ସନ୍ତାନ ଜନ୍ମ ହେଉ କି ଟୀକାକରଣ, ରୋଗବୈରାଗରେ ରେବତୀ ହିଁ ଲୋକଙ୍କ ପାଖରେ ଠିଆ ହୋଇଛନ୍ତି । ଏମିତି କି ରେବତୀଙ୍କ ପାଇଁ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ କୁଲୁସିଂ ପଞ୍ଚାୟତ ଜିଲ୍ଲାରେ ଏକ ନମ୍ବର ରହିଛି । ଏବେ ଅବସର ନେବାର ସମୟ ଆସିଛି । ଯେଉଁଥିପାଇଂ ଗାଁ ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଯେଉଁଠୁ ଚାକିରି ଆରମ୍ଭ, ସେଇଠୁ ଅବସର । ଦିଦି ସେମାନଙ୍କ ପାଖରେ ରହିବା ସ୍ଥାନୀୟ ଲୋକେ ଚାହୁଁଥିବା ବେଳେ ରାୟଗଡ଼ା ଜିଲ୍ଲା ପ୍ରଶାସନ ତାଙ୍କୁ ଆମ ସଙ୍କଳ୍ପ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର୍ କରିବାକୁ ଚିନ୍ତା କରୁଛି । ଗୁଣୁପୁରରୁ ରଣଜିତ ପାଢ଼ୀ, ନ୍ୟୁଜ୍ ସେଭେନ୍ ।