ରାଜ୍ୟରେ କମୁଛି କରୋନା ଗ୍ରାଫ୍, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୩୨୪ ଆକ୍ରାନ୍ତ
28/12/2020 at 8:19 PM

ଭୁବନେଶ୍ବର ୨୮/୧୨ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ଦେଖିବାକୁ ମିଳୁଛି । ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ନିଜର କାୟା ମେଲାଇ ପାରୁ ନାହିଁ ମହାମାରୀ କରୋନା। ଫଳରେ ରାଜ୍ୟରେ କରୋନାର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ଟି ଜିଲ୍ଲାରୁ ୩୨୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୪, ୩୯୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରବିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ବାଲେଶ୍ଵର ଜିଲ୍ଲାରୁ ୨୬, ସୁନ୍ଦରଗଡରୁ ୩୧, ଅନୁଗୁଳରୁ ୨୦, କଟକରୁ ୧୭, ସମ୍ବଲପୁରରୁ ୨୫, ମୟୂରଭଞ୍ଜରୁ ୨୨, ପୁରୀରୁ ୨୨, ଅନୁଗୁଳରୁ ୨୦, ବରଗଡରୁ ୧୭, ନୂଆପଡାରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡାରୁ ୧୦, ଗଞ୍ଜାମରୁ ୮, ଭଦ୍ରକ, ବଲାଙ୍ଗିର, ଜଗତସିଂପୁର, ଝାରସୁଗୁଡା ଓ କେନ୍ଦୁଝରରୁ ୭ ଜଣ ଲେଖାଏଁ କଳାହାଣ୍ଡିରୁ ୫, ନବରଙ୍ଗପୁରରୁ ୪, ବୌଦ୍ଧ, ଢେଙ୍କାନାଳ ଓ ନୟାଗଡରୁ ୩ ଜଣ ଲେଖାଏଁ, ଗଜପତିରୁ ୨, ମାଲକାନଗିରି, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୭୩୮କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୩ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୬୪ରେ ପହଞ୍ଚିଛି।