ମୋଟେରା ଟେଷ୍ଟ : ବିଜୟ ଦ୍ବାର ଦେଶରେ ଟିମ୍ ଇଣ୍ଡିଆ, ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି ଇଂଲଣ୍ଡ
6/03/2021 at 3:10 PM

ଅହମ୍ମଦାବାଦ ୦୬/୦୩ : ଭରତ ବିପକ୍ଷ ଅନ୍ତିମ ଟେଷ୍ଟର ଦ୍ବିତୀୟ ଇନିଂସରେ ଭ୍ରମଣକାରୀ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଫଳରେ ମ୍ୟାଚ୍ ବିଜୟ ସହିତ ସିରିଜ ବିଜୟର ଦ୍ବାର ଦେଶରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ପ୍ରଥମ ଇନିସଂରେ ବ୍ୟାଟିଂ ଆରମ୍ଭ କରି ମାତ୍ର ୨୦୫ ରନରେ ଅଲଆଉଟ ହୋଇଥିଲା ଇଂଲଣ୍ଡ । ଜବାବରେ ଋଷଭ ପନ୍ତଙ୍କ ଦମଦାର ଶତକ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଆକର୍ଷଣୀୟ ଅପରାଜିତ ୯୬ ରନ ବଳରେ ୩୬୫ ରନରେ ଅଲଆଉଟ ହୋଇଥିଲା ଭାରତ ।
ତେବେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟି ବ୍ରେକ୍ ସୁଦ୍ଧା ଇଂଲଣ୍ଡ ୬ ଓ୍ବକେଟ୍ ହରାଇ ୯୧ ରନ କରିଛି ଇଂଲଣ୍ଡ । ପଡିଆ ମଧ୍ୟରେ ଭାରତୀୟ ଷ୍ଟାର ସ୍ପିନ୍ ଯୋଡି ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲ ଇଂଲଣ୍ଡକୁ ଧରାଶୟୀ କରିଛନ୍ତି । ଉଭୟ ୩ଟି ଲେଖାଏଁ ଓ୍ବିକଟ୍ ହାସଲ କରିଛନ୍ତି ।
ଇଂଲଣ୍ଡ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲୀ ୫ ଏବଂ ଡୋମ୍ ଶିବଲୀ ୩ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋନି ବୟାରିଷ୍ଟୋ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ଜୋ ରୁଟ୍ (୩୦) ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇନଥିଲେ । ବେନ୍ ଷ୍ଟୋକସ୍ ୨ରନ୍ ଏବଂ ଓଲି ପୋପ୍ ୧୫ ରନ କରି ଆଉଟ ହୋଇଛନ୍ତି । ଶେଷ ରିପୋର୍ଟ ସୁଦ୍ଧା ଇଂଲଣ୍ଡ ୪୩ ଓଭରରେ ୬ ଓ୍ବିକେଟ୍ ହରାଇ ୧୦୯ କରିଛି । ଡେନ୍ ଲୋରିନ୍ସ ୩୦ ଏବଂ ବେନ ଫୋକ୍ସ ୧୩ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି ।
ପ୍ରଥମ ଇନିଂସରେ ମାତ୍ର ୨୦୫ ରନ୍ରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଫଳରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୭ ଓ୍ବିକେଟ୍ ହରାଇ ୨୯୪ ରନ୍ କରିବା ସହିତ ଭ୍ରମଣକାରୀ ଇଂଲଣ୍ଡଠାରୁ ୮୯ ରନ୍ର ଆଗୁଆ ରହିଥିଲା । ଓ୍ବାଶିଂଟନ ସୁନ୍ଦର ୬୦ ଏବଂ ଅକ୍ଷର ପଟେଲ ୧୧ ରନ୍ କରି ଅପରାଜିତ ରହିଥିଲେ । ତେବେ ତୃତୀୟ ଦିନର ଆରମ୍ଭରେ ଓ୍ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଜବରଦସ୍ତ ବ୍ୟାଟିଂ କରିଥିଲେ । ଓ୍ୱାଶିଂଟନ ୯୬ ରନ୍ କରି ଅପରାଜିତ ଥିବା ବେଳେ ଓ ଅକ୍ଷର ୪୩ ରନ୍ କରି ଆଉଟ ହୋଇଛନ୍ତି । ମହମ୍ମଦ ସିରାଜ ଓ ଇସାନ୍ତ ଶର୍ମା ବିନ କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ ।