ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣଙ୍କ ନାମରେ ଏତଲା ଦେଲା ବିଜେପି
25/12/2020 at 3:54 PM

ଭଦ୍ରକ ୨୫।୧୨: ଆବାସ ଯୋଜନା ଷ୍ଟିକରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଓ ସଚିବଙ୍କ ନାମରେ ଏତଲା ଦେଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ଲୋଗୋ ଷ୍ଟିକରିଙ୍ଗ ଉଦ୍ୟମ ଓ ସଂପୃକ୍ତ ଅଧୁକାରୀଙ୍କୁ ଭୁଲ ଲୋଗୋ ଷ୍ଟିକରିଙ୍ଗ କରାଇ ନଦେବାକୁ ହିତାଧିକାରୀଙ୍କୁ ନିବେଦନ କରିବା ସହ ଥାନାରେ ଏତଲା ଦେଇଛି ବିଜେପି ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ ଭଣ୍ଡାରୀପୋଖରୀ ଥାନା ରେ ଲିଖିତ ଏତଲା ଦେଇଛନ୍ତି । ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଷ୍ଟିକର ଚିରିବା ସହ ଷ୍ଟିକର ଓ ମୁଖ୍ୟମନ୍ତ୍ରୀଙ୍କ ଚିଠି କୁ ପୋଡିଥିଲେ। ଏହି ଷ୍ଟିକର ପଛରେ ରାଜନୈତିକ ଉଦେଶ୍ୟ ଥିବାରୁ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ – ଅରିନ୍ଦମ ଡାକୁଆ, ଜିଲ୍ଲାପାଳ – ଭଦ୍ରକ, ପ୍ରକଳ୍ପ ନିର୍ଦ୍ଦେଶକ ଡ଼ିଆରଡ଼ିଏ – ଭଦ୍ରକ ଓ ଗୋଷ୍ଠୀ ଉନ୍ନୟନ ଅଧୁକାରୀ – ଭଣ୍ଡାରିପୋଖରୀଙ୍କ ନାମରେ ସାଧାରଣ ଜନତାଙ୍କୁ ପ୍ରତାରଣା ଓ ଠକେଇ ମାମଲାରେ ବିଜେପି ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଛି।

ବିଜେପି କହିଛି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନିଜ ଦଳର ପ୍ରଚାର ଓ ହୀନ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରୁଛନ୍ତି। କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କାକିଆ ଚାଉଳ ବା ଗହମ ପ୍ରଦାନ, ରୋଗୀମାନଙ୍କ ସେବା ପାଇଁ ୧୦୮ ଆମ୍ବୁଲାନ୍ସ ପ୍ରଦାନ ଭଳି ଯୋଜନାକୁ ମଧ୍ୟ ନିଜସ୍ଵ ଯୋଜନା କହି ଲୋକଙ୍କୁ ହାତେଇବାକୁ ଚେଷ୍ଟା କରି ଲଞ୍ଛିତ ହୋଇଛନ୍ତି। ଏବେ ସେହିଭଳି କରୋନା ମହାମାରୀ ସୟରେ ଲୋକମାନଙ୍କୁ ପୁନଶ୍ଚ ଭୂଆଁ ବୁଲାଇବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି।