Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୨ ବିଧାୟକ ନିଲମ୍ୱିତ

5/07/2021 at 4:22 PM

ମୁମ୍ୱାଇ, ୦୫/୦୭: ମହାରଷ୍ଟ୍ର ବିଧାନସଭାରେ ମରାଠା ଆରକ୍ଷଣକୁ ରଦ୍ଦ କରିବା ନେଇ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ବିଜେପି ଗୃହରେ ଏ ନେଇ ହଟ୍ଟଗୋଳ କରିଛି । ଦୁଇ ଦିବସୀୟ ଚଳିତ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ବାଚସ୍ପତିଙ୍କ ବିରୋଧରେ ଗୃହରେ ଝଗଡ଼ା କରିବାକୁ ନେଇ ୧୨ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଭଏସ୍ ଭୋଟ୍ ଦ୍ୱାରା କେନ୍ଦ୍ର ସରକାରଙ୍କ ଓବିସି ସଂରକ୍ଷଣ ବିରୋଧରେ ଏକ ପ୍ରସ୍ତାବ ପାରିତ କରାଯାଇଥିବା ଜଣାପଡ଼ିଛି ।

ଓବିସି ସଂରକ୍ଷଣ ପ୍ରସ୍ତାବ ଗୃହରେ ଆଗତ ହେବା କ୍ଷଣି ବିଜେପି ବିଧାୟକ ହଟ୍ଟଗୋଳ କରିଥିଲେ । ସିଟ୍‌ରୁ ଉଠି ବିଜେପି ବିଧାୟକ ବାଚସ୍ପତିଙ୍କ ଟେବୁଲ୍‌ ପାଖକୁ ଯାଇ ମାଇକ୍ରୋଫୋନ୍‌ ଭିଡ଼ି ଆଣିଥିଲେ । ତେବେ ବାଚସ୍ପତିଙ୍କ ସହିତ ଧସ୍ତାଧସ୍ତିକୁ ନେଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ୱିତ କରାଯାଉଛି ବୋଲି ବାଚସ୍ପତି ଗୃହରେ କହିଛନ୍ତି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନିଲ୍‌ ପରବ ଓବିସି ସଂରକ୍ଷଣକୁ ଉପରେ ଗୃହରେ ଆଲୋଚନା କରୁଥିବା ବେଳେ ମାଇକ ଟାଣିବା ଏବଂ ଗୃହର ବାଚସ୍ପତିଙ୍କୁ ଅପମାନିତ କରିବା ଅଭିଯୋଗରେ ବିଜେପି ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଦେଇଥିଲେ । ପାର୍ଟିର ଅଧ୍ୟକ୍ଷ ଭାଷ୍କର ଯାଦବ ଏନେଇ କହିଛନ୍ତି ଯେ, ବିଜେପି ବିଧାୟକ ମୋର ମାଆ ଏବଂ ଭଉଣୀଙ୍କୁ ଅପମାନ କରିଛନ୍ତି । ଆଜି ମୋ ପାଇଁ ଏକ କଳା ଦିନ ।  

ତେବେ ବିପକ୍ଷ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ କହିଛନ୍ତି ଯେ, ବାଚସ୍ପତିଙ୍କ ସହିତ ଧସ୍ତାଧସ୍ତି ହୋଇନାହିଁ । ବିଜେପି ବିଧାୟକଙ୍କୁ ନିଲମ୍ୱନ ପ୍ରତିବାଦରେ ଦଳ ଅଧିବେସନକୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।

   Related Posts