ମର୍କଜରୁ ବାହାରିଥିବା ୧୦ଟି ରାଜ୍ୟର ୪୦୦ ଜଣ ସଂକ୍ରମିତ : ଯୋଗାଯୋଗରେ ଥିବା ୯ ହଜାର ଲୋକ ଚିହ୍ନଟ
3/04/2020 at 10:43 AM

ନୂଆଦିଲ୍ଲୀ ୦୩/୦୪ : ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନରେ ମର୍କଜ ମସଜିଦର ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଏହି ସଂଖ୍ୟା ପାଖାପାଖି ୪୦୦ ରେ ପହଞ୍ଚିଛି | ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ସାରା ଦେଶରେ ୯ ହଜାର ତଵଲିଗି ଜମାତ ସଦସ୍ୟ ଏବଂ ସେମାନଙ୍କ ସହ ଯୋଗାଯୋଗ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ବିଦେଶୀ ଏବଂ ଅବଶିଷ୍ଟ ଭାରତୀୟ | ଏମାନଙ୍କୁ କ୍ଵାରେଣ୍ଟାଇନ କରାଯାଉଛି | ସେ କହିଛନ୍ତି ଯେ ମର୍କଜ ସହ ଜଡିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଆହୁରି ବଢିପାରେ |
ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମର୍କଜ ସହ ଜଡିତ ୪୦୦ କରୋନା ସଂକ୍ରମିତ ମାମଲା ଦେଖିବାକୁ ମିଳିଛି। ସର୍ବାଧିକ ୧୭୩ ମାମଲା ତାମିଲନାଡୁରୁ ଆସିଛି। ଅନ୍ୟପକ୍ଷରେ,୨ ହଜାର ତଵଲିଗି ଜମାତ ସଦସ୍ୟଙ୍କ ମଧ୍ୟରୁ ୧୮୦୪ ଜଣଙ୍କୁ କ୍ଵାରେଣ୍ଟାଇନ କରାଯାଇଛି । ୩୩୪ ଜଣଙ୍କୁ କରୋନା ଲକ୍ଷଣ ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମର୍କଜରେ ସଂକ୍ରମିତ ହୋଇଥିବା ୧୦ ରାଜ୍ୟରୁ ମଧ୍ୟରୁ ସର୍ବାଧିକ ତାମିଲନାଡୁରେ ୧୭୩, ଆନ୍ଧ୍ରପ୍ରଦେଶ ୬୭, ଦିଲ୍ଲୀ ୪୭, ତେଲେଙ୍ଗାନା ୩୩, କାଶ୍ମୀର ୨୨, ଆସାମ ୧୬, ରାଜସ୍ଥାନ ୧୧, କର୍ଣ୍ଣାଟକ ୧୧, ଆଣ୍ଡାମାନ ନିକୋବର ୦୯, ପୁଡୁଚେରୀ ୦୨, ମୋଟ ୩୯୧ |
ମାର୍ଚ୍ଚ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମର୍କଜରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ଏବଂ ବିଦେଶରୁ ୫ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ୨୦୦୦ ରୁ ଅଧିକ ଲୋକ ଏଠାରେ ରହିଥିଲେ | ଅଧିକାଂଶ ଲୋକ ଲକଡାଉନ ପୂର୍ବରୁ ନିଜ ଘରକୁ ଫେରିଥିଲେ | ଦିଲ୍ଲୀ ସମେତ ୨୨ ଟି ରାଜ୍ୟ ସଂକ୍ରମିତ ହୋଇଛନ୍ତି | ଏଥିମଧ୍ୟରେ ତାମିଲନାଡୁ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପୁଡୁଚେରୀ, କର୍ଣ୍ଣାଟକ, ଆଣ୍ଡାମାନ ଏବଂ ନିକୋବର, ଆନ୍ଧ୍ରପ୍ରଦେଶ, ଶ୍ରୀନଗର, ଦିଲ୍ଲୀ, ଓଡିଶା, ପଶ୍ଚିମବଙ୍ଗ, ହିମାଚଳ, ରାଜସ୍ଥାନ, ଗୁଜୁରାଟ, ମେଘାଳୟ, ମଣିପୁର, ବିହାର, ଛତିଶଗଡ଼ ସାମିଲ । ବର୍ତ୍ତମାନ ଏହିସବୁ ରାଜ୍ୟରୁ ସଂକ୍ରମଣ ମାମଲା ଲଗାତାର ସାମ୍ନାକୁ ଆସୁଛି |
ଗୃହ ମନ୍ତ୍ରଣାଳୟ କହିଛନ୍ତି ଯେ, ମର୍କଜରେ ଯୋଗଦେବା ପାଇଁ ଚଳିତ ବର୍ଷ ୨୧୦୦ ବିଦେଶୀ ଆସିଥିଲେ । ଏଥିମଧ୍ୟରେ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ନେପାଳ, ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କା ଏବଂ କିର୍ଗିଜସ୍ଥାନର ଲୋକମାନେ ଥିଲେ । ସାଧାରଣତ ମର୍କଜକୁ ଆସୁଥିବା ବିଦେଶୀମାନେ ନିଜାମୁଦ୍ଦିନର ବଙ୍ଗଳାୱାଲୀ ମସଜିଦକୁ ଆସିବା ନେଇ ସୂଚନା ଦେଇଥାନ୍ତି |