ବାପା-ମାଙ୍କୁ ଶିଳପୁଆରେ ଛେଚି ମାରିଦେଲା ପୁଅ, ଜମି ବିକ୍ରି କରିବାକୁ ନଦେବାରୁ ରାଗରେ ପାଲଟିଗଲା ରାକ୍ଷସ
25/12/2020 at 7:10 PM

ରାଉରକେଲା ୨୫/୧୨ : ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବିଶପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମନ୍ୟ ଜମିଜମାକୁ କେନ୍ଦ୍ର କରି ନିଜ ବାପା-ମାଙ୍କୁ ଶିଳପୁଆରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି ନୃଶଂସ ପୁଅ । ବାପା-ମାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଜୟ ସିଂ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଥିଲା ଅଭିଯୁକ୍ତ ଜୟ ସିଂ । ତେବେ ଏଥିରେ ବାଧା ଦେବାରୁ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଅଭିଯୁକ୍ତ । ବାପ-ପୁଅଙ୍କ ମଧ୍ୟରେ ପ୍ରବଳ ବଚସା ହେବାରୁ ପାଖରେ ଥିବା ଶିଳପୁଆରେ ବାପା-ମା ଉଭୟଙ୍କୁ ଆକ୍ରମଣ କରିଥିଲା ପୁଅ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି କାଣ୍ଡରେ ଅଭିଯୁକ୍ତ ଜୟ ସିଂର ପତ୍ନୀ ମଧ୍ୟ ଆହତ ହୋଇଛନ୍ତି । ବାପା-ମା ଉଭୟଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।