ପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ରୁମା ଗୁହାଥାକୁର୍ତାଙ୍କ ପରଲୋକ, ଲିଜେଣ୍ଡ୍ରୀ ସିଙ୍ଗର ତଥା ଆକ୍ଟର କିଶୋର କୁମାରଙ୍କର ଥିଲେ ପ୍ରଥମ ପତ୍ନୀ
3/06/2019 at 3:39 PM

କୋଲକାତା ୩।୬: ପ୍ରସିଦ୍ଧ ଚଳଚିତ୍ର ଅଭିନେତ୍ରୀ ରୁମା ଗୁହା ଥାକୁର୍ତା ଆଉ ନାହାନ୍ତି । କୋଲକାତା ବାଲିଗଙ୍ଗ ପାଲେସରେ ରୁମା ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୮୪ ବର୍ଷ ବୟସ୍କା ରୁମା ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିଲେ। ପୁଅ ଅମିତ କୁମାରଙ୍କ ସହ ପ୍ରାୟତଃ ମୁମ୍ବାଇରେ ରହୁଥିବା ରୁମା ଗତ ୩ ମାସ ହେଲା ବାଲିଗଙ୍ଗରେ ଅବସ୍ଥାନ କରୁଥିବା ବେଳେ ତାଙ୍କର ପରଲୋକ ହୋଇଛି। ରୁମା କେବଳ ଜଣେ ଅଭିନେତ୍ରୀ ନଥିଲେ, ସେ ଜଣେ କଣ୍ଠ ଶିଳ୍ପୀଭାବେ ମଧ୍ୟ ବେଶ ପ୍ରସିଦ୍ଧ ଥିଲେ। ତାଙ୍କର ଆଉ ଏକ ବଡ ପରିଚୟ ହେଉଛି ସେ ବଲିଉଡ୍ ଲିଜେଣ୍ଡ୍ରୀ ସିଙ୍ଗର ତଥା ଆକ୍ଟର କିଶୋର କୁମାରଙ୍କର ପ୍ରଥମ ପତ୍ନୀ ଥିଲେ।

ରୁମା ଅନେକ ହିନ୍ଦୀ ଓ ବେଙ୍ଗଲୀ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତି ଫିଲ୍ମ ମଧ୍ୟରେ ଏଣ୍ଟନୀ ଫିରଙ୍ଗୀ, ଗଙ୍ଗା ଅଭିଯାନ, ପଲାତକ, ଆସିତେ ଆସିଓନା ଓ ବାଲିକା ବଧୂ ଅନ୍ୟତମ। ତେବେ ତାଙ୍କ ଅଭିନୀତ ବାଲିକା ବଧୂ ଫିଲ୍ମ ପାଇଁ ରୁମା ଆଜି ବି ଅଭୂଲା ନାୟିକା ହୋଇ ରହିଛନ୍ତି । ଏହା ଛଡା ସେ ସତ୍ୟଜିତ ରାୟଙ୍କ ଅଭିଯାନ ଓ ଗଣ ଶତ୍ରୁରେ ମଧ୍ୟ ନାୟିକା ଭୂମିକାରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ।

ରୁମାଙ୍କ ଜନ୍ମ ୧୯୩୪ ମସିହାରେ କୋଲକାତାରେ ହୋଇଥିଲା। ୧୯୫୧ ମସିହାରେ କିଶୋର କୁମାରଙ୍କ ସହ ତାଙ୍କର ପରିଣୟ ହୋଇଥିବା ବେଳେ ଏହି ବିବାହ ବେଶିକାଳ ତିଷ୍ଠୀ ପାରିନଥିଲା। ପ୍ରାୟ ୭ ବର୍ଷ ପରେ ପତିପତ୍ନୀଙ୍କ ବିବାହ ବିଛେଦ ହୋଇଥିଲା। ପରେ ରୁମା ୧୯୬୦ ମସିହାରେ ଅରୂପ ଗୁହା ଥାକୁର୍ତାଙ୍କୁ ବିବାହ କରିଥିଲେ।